ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ରାଜ୍ୟରେ ସରକାରୀ ଯୋଜନାର ବାସ୍ତବ ରୂପାୟନ ଓ ଲୋକଙ୍କୁ ମିଳୁଥିବା ସେବାର ସ୍ଥିତି ଯାଞ୍ଚ ପାଇଁ ଜିଲ୍ଲା ଗସ୍ତ କରିବେ ୩୦ ଜଣ ସଚିବ ଓ ବରିଷ୍ଠ ଅଧିକାରୀ । ଆଗାମୀ ଦିନରେ ଅଧିକାରୀମାନେ ନିଜ ନିଜକୁ ଆବଣ୍ଟିତ ଜିଲ୍ଲା ଗସ୍ତ କରିବେ । ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ସରକାରଙ୍କ ତାଲିକା ଅନୁଯାୟୀ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ୩୦ ଜଣ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି । ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ମିଶ୍ରଙ୍କୁ ଖୋର୍ଦ୍ଧା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଣବ କୁମାର ଜେନାଙ୍କୁ ଗଜପତି, ଏସ୍‌ଏସ୍‌ଇପିଡି ଓ ଜିଏପିଜି ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ କେନ୍ଦ୍ରାପଡ଼ା ଏବଂ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମାଙ୍କୁ ପୁରୀ ଜିଲ୍ଲାର ଦାୟିତ୍ୱ ମିଳିଛି ।
ଜିଲ୍ଲା ଗସ୍ତ ସମୟରେ ଅଧିକାରୀମାନେ ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ବାସ୍ତବ ସ୍ଥିତି ଯାଞ୍ଚ କରିବେ । ଜିଲ୍ଲା ହସ୍ପିଟାଲ, ପିଏଚ୍‌ସି, ସିଏଚ୍‌ସି, ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ଛାତ୍ରାବାସକୁ ଅଚାନକ ପରିଦର୍ଶନ କରିବେ। ଏଥିସହ ଦୁର୍ଗମ ଅଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବେ । ପାନୀୟଜଳ ପ୍ରକଳ୍ପରେ ବିଳମ୍ବ ହେଉଥିଲେ ଏହାର କାରଣ ଚିହ୍ନଟ କରି ସମ୍ପୃକ୍ତ ବିଭାଗକୁ ଅବଗତ କରାଯିବ । ଏହାସହ ଲୋକଙ୍କ ଅଭିଯୋଗ, ସରକାରୀ ସେବାର ଉପଲବ୍ଧତା ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ମଧ୍ୟ ଅନୁଧ୍ୟାନ କରାଯିବ । ଜିଲ୍ଲା ଗସ୍ତ ସମୟରେ ୨୯ଟି ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନ ଏବଂ ଫଳାଫଳ ସମୀକ୍ଷା କରାଯିବ ।