ଭଦ୍ରକ, (ସତ୍ୟପାଠବ୍ୟୁରୋ): ପୁଅ ଯଦି ଗୁଣର ହେଲା ଧନ କି ପାଇଁ ସଞ୍ଚୁ, ପୁଅ ଯଦି ଅଯୋଗ୍ୟ ହେଲା ଧନ କିପାଇଁ ସଞ୍ଚୁ। ସେହିଭଳି ଭାବେ ପାଖରେ ତିନି ତିନିଟି ପୁଅ ଥାଇ ହତାଦାର ହେଉଛନ୍ତି ବାପା। ଏହି ଅଯୋଗ୍ୟ ପୁଅ ହାତରେ ବାପା ସମସ୍ତ ଧନ ଦେଇଥିବାବେଳେ ଆଜି ଖାଇବା ଗଣ୍ଡେ ପାଇଁ ଥାନାର ଦ୍ବାରସ୍ଥ ହେବାକୁ ପଡ଼ିଛି। କାହା ଇଚ୍ଛା ହେଲା କିଏ ଖାଇବାକୁ ଦେଉଛି ତ ଆଉ କେତେବେଳେ ଭୋକରେ ଶୋଇବାକୁ ପଡ଼ୁଛି। ସମସ୍ତ ସଂପତ୍ତି ପୁଅମାନେ ନେଇ ଯିବା ପରେ ବାପାକୁ କରୁଛନ୍ତି ହତାଦାର। ଯାହାକୁ ନେଇ ଝିଅ-ଜ୍ୱାଇଁଙ୍କୁ ଧରି ଥାନାରେ ପହଞ୍ଚିଲେ ବୃଦ୍ଧ। ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଯଶୀପୁର ପଞ୍ଚାୟତ ସୁବୁଦିଆ ଗାଁରୁ। ୮୬ ବର୍ଷୀୟ ଭାସ୍କର ପଲ୍ଲାଇ। ଦିନେ ଯେଉଁ ହାତରେ ପରିବାର ପାଇଁ ସବୁକିଛି ଯୋଗାଡ଼ କରୁଥିଲେ, ଆଜି ସେହି ହାତ ଧରିବାକୁ ପୁଅ ନାହିଁ। ପତ୍ନୀଙ୍କୁ ହରାଇବାର ୧୩ ବର୍ଷ ପରେ ପରିବାରର ସଭିଏଁ ଥାଇ ମଧ୍ୟ ସେ ଆଜି ଅସହାୟ। ତିନି ପୁଅ, ନାତି-ନାତୁଣୀ ଥିଲେ ବି ନିଜ ଘରେ ମିଳୁନି ଆଶ୍ରୟ। ଅଭିଯୋଗ ହେଉଛି, ତିନି ପୁଅ ମଧ୍ୟରୁ ଦୁଇ ପୁଅ ମୁକ-ବଧିର। ହେଲେ ବଡ଼ ପୁଅ ସୁସ୍ଥ ଥାଇ ମଧ୍ୟ ବାପାଙ୍କ ବୁଝାଶୁଝା କରୁ ନାହିଁ। ବୃଦ୍ଧଙ୍କ ବାଡ଼ି, ଜମି ଓ ସମ୍ପତ୍ତି ବଡ଼ ପୁଅ ଭୋଗ କରୁଛନ୍ତି। କିନ୍ତୁ ବାପାଙ୍କ ଖାଇବା, ପିଇବା କିମ୍ବା ଯତ୍ନ ନେଉନାହାନ୍ତି। ପେଟକୁ ମୁଠେ ଖାଇବା ପାଇଁ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ କରି ଶେଷରେ ଝିଅ-ଜ୍ୱାଇଁଙ୍କ ଘରେ ଆଶ୍ରୟ ନେଇଛନ୍ତି ଭାସ୍କର। ୮୬ ବର୍ଷର ଭାସ୍କର ଏବେ ଠିକ୍‌ ଭାବେ ଶୁଣି ପାରୁନାହାନ୍ତି କି ଶରୀର ବି ଆଉ ସାଥ୍‌ ଦେଉନି। ବୃଦ୍ଧଙ୍କ ଅବସ୍ଥା ଦେଖି ଦୁଇ ଜ୍ୱାଇଁ ତାଙ୍କୁ ଏକା ଛାଡ଼ିନାହାନ୍ତି। କିନ୍ତୁ ଏବେ ସେମାନଙ୍କ ମନରେ ଆଉ ଏକ ଭୟ ବୃଦ୍ଧଙ୍କର ଯଦି କିଛି ଅଘଟଣ ଘଟେ, ଦୋଷ ତାଙ୍କ ମୁଣ୍ଡରେ ଲଦି ଦିଆଯାଇପାରେ। ସେଥିପାଇଁ ଶଶୁରଙ୍କୁ ସାଙ୍ଗରେ ଧରି ବାଂଶଡା ଥାନାରେ ପହଞ୍ଚିଛନ୍ତି ଦୁଇ ଜ୍ୱାଇଁ। ସେପଟେ ବାପାଙ୍କ ଉପରେ ଲାଗିଥିବା ଅବହେଳାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଡ଼ ପୁଅ। ତାଙ୍କ କହିବା କଥା, ଝିଅ-ଜ୍ୱାଇଁଙ୍କ କଥାରେ ପଡ଼ି ବାପା ସମ୍ପତ୍ତି ନଷ୍ଟ କରିଛନ୍ତି। ଅଭିଯୋଗ ଓ ପ୍ରତିଅଭିଯୋଗ ଭିତରେ ଏବେ ସବୁଠୁ ବଡ଼ ପ୍ରଶ୍ନ ୮୬ ବର୍ଷର ଏହି ବୃଦ୍ଧ ବାପାଙ୍କ ଶେଷ ବୟସର ଭରସା କିଏ ହେବ? ଏବେ ମାମଲା ଥାନାରେ ପହଞ୍ଚିଥିବା ବୃଦ୍ଧଙ୍କୁ କେବେ ନ୍ୟାୟ ମିଳିବ ତା ଉପରେ ସମସ୍ତଙ୍କ ନଜର। ସେହିପରି ଭଦ୍ରକରୁ ଆଉ ଏକ ଅଭିଯୋଗ ସାମନାକୁ ଆସିଛି। ଜଣେ ୧୦୨ ବର୍ଷର ବୃଦ୍ଧା, ପୁଅ ବୋହୂ ଠାରୁ ଅବହେଳିତ ହୋଇ ଥାନାକୁ ଆସିଥିବା ଦେଖିବାକୁ ମିଳିଛି। ପୁଅ ବୋହୂ ଖାଇବାକୁ ଦେଉ ନଥିବା ଅଭିଯୋଗ କରିଛନ୍ତି ବୃଦ୍ଧା ମହିଳା। ତିନି ତନିଟି ପୁଅ ଥାଇ ମାଆକୁ ଏକ ଭଙ୍ଗା ଦଦରା ଘରେ ଛାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି। ସରକାର ଯାହା ଭତ୍ତା ଓ ଚାଉଳ ଦେଉଛନ୍ତି ସେଥିରୁ ଖାଉଥିବା ସେ ପ୍ରକାଶ କରିଛନ୍ତି। ୪ ବର୍ଷ ହେଲା ଏଭଳି ଦୟନୀୟ ଅବସ୍ଥାରେ ପଡ଼ି ରହିଥିବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ବୃଦ୍ଧା। ହେଲେ ବିଡ଼ମ୍ବନାର ବିଷୟ ପୁଅ ଖାଇବାକୁ ଦେଉ ବୋଲି ଶେଷରେ ଥାନାକୁ ଯିବାକୁ ପଡ଼ୁଛି। ପୋଲିସ ଏହାର ଉପୁଯୁକ୍ତ ତଦନ୍ତ କରି ଉଚିତ ନ୍ୟାଯ ଦେବାକୁ ସାଧାରଣରେ ଦାବି ହେଉଛି।