ଟି-20 ସିରିଜ କବଜା କଲା ଟିମ୍ ଇଣ୍ଡିଆ

ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚରେ ଚମତ୍କାର, ଦମଦାର ପ୍ରଦର୍ଶନ ସହ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । 17 ରନରେ ପରାସ୍ତ ହୋଇଛି ୱେଷ୍ଟ ଇଣ୍ଡିଜ । ସୂର୍ଯ୍ୟ କୁମାର ଯାଦବଙ୍କ ସର୍ବାଧିକ 65 ରନ ବଳରେ 185 ରନର ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ । ଯାହାକୁ ପୂରଣ କରି ପାରିନଥିଲା ୱେଷ୍ଟ ଇଣ୍ଡିଜ । ଭମ୍ରଣକାରୀ ଦଳ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ଉଭୟ ଦିନିକିଆ ଓ ଟି-ଟ୍ବେଣ୍ଟି ସିରିଜ ମୂଳପୋଛ କରିଛି ।

ଇଡେନ ଗାର୍ଡେନରେ ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟ ଇଣ୍ଡିଜ । ଇଷାନ କିଶନ ଓ ଋତୁରାଜ ଗାଏକ୍ବାର୍ଡ ପାଳି ଆରମ୍ଭ କରିଥିଲେ । ମାତ୍ର ୪ ରନ କରି ସଅଳ ପାଭିଲିୟନ ଫେରିଥିଲେ ଋତୁରାଜ । ପରେ ପରେ ବ୍ୟାଟଂ କରିବାକୁ ଆସିଥିଲେ ଶ୍ରେୟାସ ଆୟର । ଇଷାନ ଆୟର ମିଶି ସ୍ଥିତି ସୁଧାରିଥିଲେ । ଭଭୟ ଦର୍ଶନୀୟ ସଟ ଖେଳି ଦଳୀୟ ସ୍କୋରକୁ ୬୩ରେ ପହଞ୍ଚିଥିଲେ । ଆୟର ୧୬ଟି ବଲରୁ ୨୪ ରନ କରି ୱାଲ୍ସଙ୍କ ବଲରେ ଆଉଟ ହୋଇଥିଲେ । କିଷନ ୩୪ ରନ କରି ରଷ୍ଟନ ଚେଜଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ରୋହିତ ଶର୍ମା ମଧ୍ୟ ବିଶେଷ ପ୍ରଦର୍ଶନ କରି ପାରିନଥିଲେ । ମାତ୍ର ୭ ରନ କରି ନିରାଶ କରିଥିଲେ ରୋହିତ । ମାତ୍ର ୯୩ ରନରେ ୪ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା ଭାରତ ।ଏହା ପରେ ସୂର୍ଯ୍ୟକୁମାର ଓ ଭେଙ୍କଟେସ ଆୟର ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ସୂର୍ଯ୍ୟ କୁମାର ଯାଦବ ଓ ଭେଙ୍କେଟେସ ଆୟରଙ୍କ ମଧ୍ୟରେ ୯୦ ରନ୍‌ର ଭାଗିଦାରୀ ହୋଇଥିଲା । ଏଥିରେ କେବଳ ସୂର୍ଯ୍ୟ କୁମାର ଯାଦବ ୭ଟି ଛକା ଓ ଗୋଟିଏ ଚୌକା ବଳରେ ୬୫ ରନ୍‌ ହାସଲ କରିଥିଲେ । ଭେଙ୍କେଟେସ ଆୟର ମଧ୍ୟ ୧୯ ବଲ୍‌ରୁ ୩୫ ରନ୍‌ ହାସଲ କରିଥିଲେ । ୨୦ତମ ଓଭରର ଶେଷ ବଲରେ ସୂର୍ଯ୍ୟ କୁମାର ଯାଦବ ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୪ ରନ୍‌ ହାସଲ କରିଥିଲା । ୱେଷ୍ଟଇଣ୍ଡିଜ୍‌ ୧୮୫ ରନ୍‌ ଟାର୍ଗେଟ ଦେଇଥିଲା ଇଣ୍ଡିଆ ।

୧୮୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଇଣ୍ଡିଜ । ଦୁଇ ଓପନର କେଲି ମେୟାସ (୬) ଓ ସାଇ ହୋପ (୮)ଙ୍କୁ ଦୀପକ ଚହର ଆଉଟ କରିଥିଲେ । ଏହାପରେ ନିକୋଲାସ ପୁରନ ଓ ରୋଭମାନ ପାୱେଲ ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ପାୱେଲ ୧୪ ବଲରୁ ୨୪ ରନ କରି ଦର୍ଷଲ ପଟେଲଙ୍କ ବଲରେ ଆଉଟ ହୋଇଥିଲେ । ପରେ ପରେ କିରେନ ପୋଲାର୍ଡ (୫), ଜାସେନ ହୋଲ୍ଡର (୨) ଓ ରଷ୍ଟନ ଚେଜ (୧୨) ରନ କରି ପାଭିଲିୟନ ଫେରିଥିଲେ । ୧୦୦ ରନ ବେଳକୁ ଇଣ୍ଡିଜ ୬ ୱିକେଟ ହରାଇଥିଲା । ୧୭ ଓଭର ବେଳକୁ ଦଳୀୟ ସ୍କୋର ୧୪୮ରେ ପହଞ୍ଚି ସାରିଥିଲା । ଶେଷ ୩ ଓଭରରେ ବିଜୟ ପାଇଁ ୩୭ ରନ ଦରକାର ଥିଲା । ୧୮ ତମ ଓଭରରେ ପୁରନଙ୍କୁ ଆଉଟ କରିଥିଲେ ସାର୍ଦୁଳ ଠାକୁର । ଏହା ପରେ ଇଣ୍ଡିଜ ହାତରୁ ମ୍ୟାଚ ଖସିଯାଇଥିଲା । ୱେଷ୍ଟ ଇଣ୍ଡିଜ ୯ ୱିକେଟ ହରାଇ ୧୬୭ରନ କରିଥିଲା ।

Related Posts