ନୂଆଦିଲ୍ଲୀ, ୧୭|୭ : ଆସନ୍ତା ୨୦ ତାରିଖରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ଆସିପାରେ ଡିଲିମିଟେସନ୍ ବିଲ୍ । ଏହି ବିଲ୍କୁ ଉଦ୍ଧବ- ଶିବସେନା ସମର୍ଥନ କରିବ ବୋଲି ଚର୍ଚ୍ଚା ହେଉଛି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ରାଉତଙ୍କ ବୟାନ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ସଞ୍ଜୟ ରାଉତ କହିଛନ୍ତି ଯେ ଡିଲିମିଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେବଳ ରାଜନୀତି ନୁହେଁ, ଦେଶର ସମସ୍ତ ରାଜ୍ୟର ସ୍ୱାର୍ଥକୁ ମଧ୍ୟ ବିଚାର କରାଯିବା ଦରକାର । ଏହି ବିଲ୍କୁ ନେଇ ବିରୋଧୀ ଦଳଗୁଡ଼ିକ ନିଜର ରଣନୀତି ସ୍ପଷ୍ଟ କରିବେ ଏବଂ ଏହା ଉପରେ ବ୍ୟାପକ ଆଲୋଚନା ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି ।
ଡିଲିମିଟେସନ୍ ବିଲ୍କୁ ନେଇ ବିରୋଧୀ ମେଣ୍ଟର କେତେକ ଦଳର ସ୍ବର ପରିବର୍ତ୍ତନ ହେବା ଦେଖାଯାଉଛି। ଏନ୍ସିପି (ଶରଦ ପାୱାର) ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି, ସମସ୍ତ ରାଜ୍ୟକୁ ସମାନ ହାରରେ ଲୋକସଭା ଆସନ ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସରକାର ଆଶ୍ୱାସନା ଦେଲେ ତାଙ୍କ ଦଳ ବିଲ୍କୁ ସମର୍ଥନ କରିବାକୁ ବିଚାର କରିପାରେ । ସେହିପରି ଡିଏମକେ, ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇଥିବାରୁ ଏହା ଡିଲିମିଟେସନ ବିଲକୁ ସମର୍ଥନ କରିପାରେ । ଚର୍ଚ୍ଚା ହେଉଛି ଯେ, ସମାଜବାଦୀ ପାର୍ଟିର କିଛି ସାଂସଦ କ୍ରସ ଭୋଟିଂ କରିବେ।
ଏକ ପକ୍ଷରେ ଏନଡିଏ ଡିଲିମିଟେସନ ଓ ମହିଳା ସଂରକ୍ଷଣ ବିଲକୁ ମୌସୁମୀ ଅଧିବେଶନରେ ପାରିତ କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ, କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳ ଏହି ବିଲ୍କୁ ନେଇ ସାମୂହିକ ଭାବେ ନିଷ୍ପତ୍ତି ନେବେ। ଡିଲିମିଟେସନ୍ ବିଲ୍ ଦେଶର ନିର୍ବାଚନୀ ଆସନ ପୁନର୍ଗଠନ ସହ ଜଡିତ ଥିବାରୁ ଏହାର ପ୍ରଭାବ ଜାତୀୟ ରାଜନୀତି ଉପରେ ପଡ଼ିବ। ସେଥିପାଇଁ ଏହି ବିଲ୍କୁ ନେଇ ପ୍ରତ୍ୟେକ ରାଜନୈତିକ ଦଳ, ବିଶେଷ କରି ଦକ୍ଷିଣ ଭାରତର ଦଳମାନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଆଗାମୀ ୨୦ ତାରିଖରେ ସଂସଦ ଅଧିବେଶନ ଆରମ୍ଭ ହେବା ପରେ ଏହି ବିଷୟ ସ୍ପଷ୍ଟତା ଆସିବ।
