ଦକ୍ଷିଣ ପଶ୍ଚିମବଙ୍ଗରେ ବଡ଼ ଟ୍ରେନ୍ ଦୁର୍ଘଟଣା, 5 ମୃତ, ୧୦୦ରୁ ଅଧିକ ଆହତ

ଦକ୍ଷିଣ ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ ଦୁର୍ଘଟଣା । ଗୌହାଟୀ ଓ ବିକାନେର ଏକ୍ସପ୍ରେସ ଜଲପାଇଗୁଡ଼ି ନିକଟସ୍ଥ ମୋୟନଗୁରି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ ୬ଟି କୋଚ ଲାଇନଚ୍ୟୁତ ହେବା ଫଳରେ ବସିଥିବା 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୧୦୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଟ୍ରେନରେ 1200 ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି ।

ଅପରପକ୍ଷେ, ଆଗକୁ ଅଧିକ ମୃତଦେହ ଉଦ୍ଧାର ହୋଇପାରେ ବୋଲି ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ପ୍ରାୟ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ଟି ହୋଇଛି ଲାଇନଚ୍ୟୁତ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି । ଦୁର୍ଘଟଣା ସ୍ଥଳରେ ପ୍ରାୟ ୩୦ଟି ଆମ୍ବୁଲାନ୍ସ ରହି ଆହତ ଓ ମୃତଦେହର ଉଦ୍ଧାର କାର୍ଯ୍ୟରେ ଲାଗିଛି ।ଦୁର୍ଘଟଣା ଦୁର୍ଗମ ଅଞ୍ଚଳରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାରେ ସମସ୍ୟା ଉପୁଜିଛି । ତଥାପି ଉଦ୍ଧାରକାରୀ ଟିମ ପ୍ରଚେଷ୍ଟା ଜାରି ରଖିଛନ୍ତି । ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଲାଇଟ୍‌ର ବ୍ୟବସ୍ଥା କରିଛନ୍ତି । ଘଟଣାସ୍ଥଳରେ ଅଲିପୁର୍‌ଦୁଆରର DRM ପହଞ୍ଚିଛନ୍ତି । ରେଳ ବିଭାଗର ସୂଚନା ମୁତାବକ ଦୁର୍ଘଟଣା ଘଟିବା ସମୟରେ ଟ୍ରେନର ଘଣ୍ଟା ପ୍ରତି ବେଗ ୫୦ କିଲୋମିଟର ରହିଥିଲା । ସେପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଲାଇନଚ୍ୟୁତ ହୋଇଥିବା ବଗିଗୁଡ଼ିକ ଭୀଷଣ କ୍ଷତିଗ୍ରସ୍ତ ହୋଇଛି । ଏଥିଲାଗି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହେଉଥିବା ଜଣାପଡ଼ିଛି ।

ଏପଟେ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶାସନକୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Related Posts