ସୁନ୍ଦରଗଡ଼, (ସତ୍ୟପାଠବ୍ୟୁରୋ) : ଗାଁ ଲୋକଙ୍କ ନିଦ ହଜାଉଛି ହାତୀ ପଲ। ସନ୍ଧ୍ୟା ହେଉ ନ ହେଉଣୁ ଆରମ୍ଭ ହେଇଯାଉଛି ହାତୀ ପଲଙ୍କ ଉତ୍ପାତ। ପାଖ ଜଙ୍ଗଲରେ ଥିବା ହାତୀ ପଲ ଗାଁ ମୁହାଁ ହେଉଥିବାବେଳେ ବ୍ୟାପକ ଚାଷ ନଷ୍ଟ କରୁଛନ୍ତି। ଆଗରେ ଯାହା ପଡ଼ିଲା ସବୁ ନଷ୍ଟ କରୁଛନ୍ତି । ସୁନ୍ଦରଗଡ଼ ବଡ଼ ଗାଁ ଫରେଷ୍ଟ ରେଞ୍ଜରେ ଏବେ ୪୬ ଟି ହାତୀ ବିଭିନ୍ନ ଅଂଚଳରୁ ଆସି ଗ୍ରାମବାସୀଙ୍କ ଅଡ଼ୁଆ ବଢ଼ାଇ ସାରିଲେଣି । ବାଡ଼ିରେ ପଶି ପରିବା ଖାଇବା ସହ ଦଳ ମକଚି ସବୁ ମାଟିରେ ମିଶାଇ ଦେଉଛନ୍ତି। ଏପରିକି ଘର ଭାଙ୍ଗି ଧାନ ଖାଇ ଦେଉଥିବା ବି ଅଭିଯୋଗ ହେଉଛି। ହାତୀଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଗ୍ରାମବାସୀ। ମହାବୀର ପାହାଡ଼ ଅଂଚଳରେ ୨୬ ଟିକିଆ ହାତୀ ପଲ ରହିଥିବା ବେଳେ , ବେଲୁଆବାହାଲରେ ୧୬ ଟି , ପଞ୍ଚରା ଅଂଚଳରେ ୩ ଟି ଓ ଟିକିଲିପଡା ଅଂଚଳରେ ଗୋଟାଏ ଦନ୍ତା ଲୋକଙ୍କ ନିଦ ହଜାଇ ସାରିଲେଣି। ଏହି ହାତୀ ପଲ ଦିନ ସମୟରେ ଜଙ୍ଗଲରେ ରହୁଥିବାବେଳେ ରାତି ହେଲେ ଗାଁ ଭିତରକୁ ଆସି ଧାନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ବନବିଭାଗ ହାତୀଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛି। ସନ୍ଧ୍ୟା ହେଲେ ଘରୁ ନ ବାହାରିବା ପାଇଁ ଗାଁ ଲୋକଙ୍କୁ ବନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।