ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ଦୁବାଇ ବିମାନ ହାଇଜାକ ଉଦ୍ୟମ ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ୯/୧୧ ଆକ୍ରମଣ ଭଳି ବିମାନକୁ କ୍ରାସ୍‌ କରିବାକୁ ଯୋଜନା କରିଥିଲା ଫ୍ଲାଇଦୁବାଇର କୋ-ପାଇଲଟ୍‌ ଆଲ୍-ହାମ୍ମାମି ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ତଦନ୍ତକାରୀଙ୍କ ଅନୁସାରେ, ତେଲ ଆଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ଫ୍ଲାଇଟ୍‌ ୧୦୭୩କୁ ଇସ୍ରାଏଲର ବେନ୍ ଗୁରିଅନ୍ ବିମାନବନ୍ଦରରେ କ୍ରାସ୍‌ କରିବାକୁ ଯୋଜନା ଥିଲା । ଅଭିଯୁକ୍ତ କୋ-ପାଇଲଟ୍‌ ଆଲ୍-ହାମ୍ମାମିଙ୍କୁ ଗିରଫ କରାଯାଇଛି । ରିପୋର୍ଟ ଅନୁସାରେ, ପ୍ରଥମେ କ୍ୟାପ୍ଟେନଙ୍କୁ ଆକ୍ରମଣ କରି ବିମାନର ନିୟନ୍ତ୍ରଣ ନେବା ସହ ସାଧାରଣ ଭାବେ ବିମାନ ଉଡ଼ାଇବା ଜାରି ରଖିବାକୁ ସେ ଯୋଜନା କରିଥିଲେ । ଯାହାଦ୍ୱାରା ବିମାନର ଅନ୍ୟ କର୍ମଚାରୀ କିମ୍ବା କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବନାହିଁ ଏବଂ ଲ୍ୟାଣ୍ଡିଂ ଅନୁମତି ମିଳିପାରିବ। ପରେ ବିମାନବନ୍ଦରର କୌଣସି ବିଲ୍ଡିଂ କିମ୍ବା ଜେଟ୍‌ ଉପରେ ବିମାନକୁ କ୍ରାସ୍‌ କରିବା ଯୋଜନା ଥିବା ତଦନ୍ତରୁ ସାମ୍ନାକୁ ଆସିଛି । ତେବେ ଯୋଜନା ବିଫଳ ହେଲେ ତେଲ ଆଭିଭ୍‌ର କୌଣସି ଉଚ୍ଚ କୋଠା କିମ୍ବା ଜର୍ଡାନ୍‌ର ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ୍‌ କରିବାକୁ ମଧ୍ୟ ଯୋଜନା ଥିବା ଦାବି କରାଯାଇଛି ।ତେବେ ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଏହି ଯୋଜନା ବିଫଳ ହୋଇଥିବା ଜଣାପଡ଼ିଛି ।