ମାଲକାନଗିରି, (ସତ୍ୟପାଠବ୍ୟୁରୋ): ମାଲକାନଗିରି ଜିଲ୍ଲାର ଦୁର୍ଗମ ବଣ୍ଡାଘାଟିରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଦିନେ ଅପହଞ୍ଚ ଓ ଅପବାଦର ଘେରରେ ଥିବା ଏହି ଅଞ୍ଚଳ ଏବେ ସରକାରୀ ଯୋଜନା ଏବଂ ପ୍ରଶାସନିକ ତତ୍ପରତା ଯୋଗୁଁ ମୁଖ୍ୟସ୍ରୋତ ସହ ଯୋଡ଼ିହେବାରେ ଲାଗିଛି। ବିଶେଷ ଭାବେ ଦୁର୍ବଳ ଜନଜାତି ଶ୍ରେଣୀଭୁକ୍ତ ଆଦିମ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସହ ସରକାରୀ ଯୋଜନାରୁ ଅପହଞ୍ଚ ଥିବା ଗାଁଗୁଡ଼ିକ, ଏବେ ହାତ ପାଆନ୍ତାରେ ସୁବିଧା ପାଇବା ନେଇ ଆଶା ସୃଷ୍ଟି ହୋଇଛି। ଦିନେ ଯେଉଁ ବଣ୍ଡାଘାଟିକୁ ଯିବା ସ୍ୱପ୍ନ ଥିଲା, ସେଠାରେ ଏବେ ପକ୍କା ଘାଟି ରାସ୍ତା ନିର୍ମାଣ ହେଉଛି। ଫଳରେ ଯାତାୟାତ ସହଜ ହେବା ସହ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଏବେ ସହଜରେ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଚର୍ଚ୍ଚା ହେଉଛି। ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ଗ୍ରାମପଞ୍ଚାୟତର ଡୁମୁରିପଡ଼ା ଅଞ୍ଚଳରେ ଭିବି ଜି ରାମ ଜୀ ଯୋଜନା ଅଧୀନରେ ନୂଆ ରାସ୍ତା ନିର୍ମାଣ କାମ ଚାଲିଛି। ବିଶେଷକରି ପ୍ରଥମ ଥର ପାଇଁ ବଣ୍ଡା ଆଦିବାସୀ ମହିଳା ଓ ପୁରୁଷମାନେ ଏକାଠି ହୋଇ ଏହି ରାସ୍ତା ନିର୍ମାଣ କାମରେ ନିୟୋଜିତ ହୋଇଥିବାରୁ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖଇରପୁଟ ବ୍ଲକ ଓ ବିଡିଏ ଅଧିକାରୀଙ୍କ ତତ୍ତ୍ବାବଧାନରେ ଶତାଧିକ ବଣ୍ଡା ମହିଳା ଓ ପୁରୁଷ ଶ୍ରମିକ ରାସ୍ତା ନିର୍ମାଣରେ ନିୟୋଜିତ ଅଛନ୍ତି। ପାହାଡ଼ କାଟି ରାସ୍ତା ତିଆରି କରିବା ସହ କଠିନ ପରିଶ୍ରମ କରୁଥିବା ବଣ୍ଡା ମହିଳାମାନଙ୍କ ଦୃଶ୍ୟ ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି। ବଣ୍ଡାଘାଟିରେ ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟାପ୍ତ କାମ ମିଳୁନଥିବା ଅଭିଯୋଗ ରହିଥିବା ବେଳେ ଏହି ଯୋଜନା ମାଧ୍ୟମରେ ଗାଁର ଲୋକଙ୍କୁ ନିଜ ଅଞ୍ଚଳରେ ରୋଜଗାର ସୁଯୋଗ ମିଳିଛି। ଏଥିସହ ରାସ୍ତା ନିର୍ମାଣ ହେବା ଦ୍ବାରା ଡୁମୁରିପଡ଼ାରୁ ରାସ୍ତା ନିର୍ମାଣରେ ନିୟୋଜିତ ହେଲେ ବଣ୍ଡା ମହିଳା ପୁରୁଷ ଅଣ୍ଡ୍ରାହାଲ ପଞ୍ଚାୟତ ଓ ଓ ମୁଖ୍ୟ ସଡ଼କକୁ ଯୋଗାଯୋଗ ସୁଗମ ହେବ ବୋଲି ଆଶା କରାଯାଉଛି। ଦୀର୍ଘଦିନ ଧରି ଦୁର୍ଗମ ପାହାଡ଼ିଆ ରାସ୍ତା ଯୋଗୁଁ ଯାତାୟତରେ ଅସୁବିଧା ଭୋଗୁଥିବା ବଣ୍ଡାଘାଟିବାସୀଙ୍କ ପାଇଁ ଏ ରାସ୍ତା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ବିକାଶ ଓ ରୋଜଗାରର ନୂଆ ଦ୍ବାର ଖୋଲିବ ବୋଲି ଆଶା ପ୍ରକାଶ ପାଇଛି। ରାସ୍ତା ସହ ରୋଜଗାର, ବଣ୍ଡାଘାଟିର ବିକାଶର ନୂଆ ଅଧ୍ୟାୟ ବୋଲି ଏହି ପଦକ୍ଷେ ସ୍ଥାନୀୟ ଲୋକେ ସ୍ବାଗତ କରିଛନ୍ତି।