ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ ଅଘଟଣ: ଗ୍ୟାସ ଲିକ ଘଟି 3 ଠିକା ଶ୍ରମିକ ମୃତ, 5 ଗୁରୁତର

ପଶ୍ଚିମବଙ୍ଗ ପଶ୍ଚିମ ବୁରଦ୍ବାନ ଜିଲ୍ଲା ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ଗ୍ୟାସ ଲିକ ଘଟି ୩ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିସହ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୫ ବର୍ଷ ମଧ୍ୟରେ କାରଖାନାରେ ଗଲାଣି ୯ ଜୀବନ ।

ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) ଅପରାହ୍ନରେ ପଶ୍ଚିମବଙ୍ଗ ପଶ୍ଚିମ ବୁରଦ୍ବାନ ଜିଲ୍ଲା ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟି ୩ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ସଜଲ ଚୌହାନ, ସିନ୍ତୁ ଯାଦବ ଏବଂ ସନ୍ତୋଷ ଚୌହାନ ।ଦୁର୍ଘଟଣା ନେଇ ଶ୍ରମିକ ସଙ୍ଘ ପ୍ଲାଣ୍ଟ ପରିଚାଳନା କମିଟିକୁ ଦାୟୀ କରିବା ସହ ବାରମ୍ବାର ପ୍ଲାଣ୍ଟରେ ଏପରି ଘଟଣା ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିସହ ଗତ କିଛିବର୍ଷ ଧରି କାରଖାନାରେ କୌଣସି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉ ନ ଥିବା ଏବଂ ଶ୍ରମିକମାନେ ଏଠାରେ ଅବହେଳାର ଶିକାର ହେଉଥିବା ସଙ୍ଘ ଅଭିଯୋଗ କରିଛି ।

ଏଥିସହ ନିଯୁକ୍ତି ସମୟରେ ଶ୍ରମିକମାନଙ୍କୁ ସଠିକ୍ ତାଲିମ୍ ଦିଆଯାଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଶ୍ରମିକ ସଙ୍ଘ । ଶାସକ ତୃଣମୂଳ କଂଗ୍ରେସ ସହ ଜଡିତ ଥିବା ଟ୍ରେଡ ୟୁନିଅନର ନେତା ଶେଖ ସାହାବୁଦ୍ଦିନ ଏହି ମାମଲାରେ ନିରପେକ୍ଷ ଏବଂ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଦାବି କରିଛନ୍ତି ।

Related Posts