ସଭାରେ ନିଜ ପୁଅ ନାମ ହିଁ ଭୁଲିଗଲେ ନେତାଜୀ; ସେପଟେ ମୁଲାୟମ ସିଂ ଭଲଭାବେ ଜାଣିଛନ୍ତି ଏହି ଆସନରୁ କିଏ ଜିତିବ ବୋଲି ଅଖିଳେଶଙ୍କୁ କଟାକ୍ଷ କରି କହିଲେ ଯୋଗୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନ ଉପରେ ସମଗ୍ର ଦେଶର ନଜର ରହିଛି । କାହିଁକିନା ଏହି ଆସନରୁ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ନିର୍ବାଚନ ଲଢୁଛନ୍ତି । ଗତ ଗୁରୁବାର ଦିନ ସପା ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ନିଜ ପୁଅ ଅଖିଳେଶଙ୍କ ପାଇଁ ପ୍ରଚାର କରିବାକୁ କରହଲକୁ ଆସିଥିଲେ । ଏଠାରେ ଅନୁଷ୍ଠିତ ଏକ ଜନସଭାରେ ସେ ଦାରିଦ୍ର୍ୟ ଦୂରୀକରଣ ପାଇଁ ସପାକୁ ଭୋଟ ଦେବାକୁ ନିବେଦନ କରିଥିଲେ ।

କିନ୍ତୁ ନିଜ ଭାଷଣ ମଧ୍ୟରେ ସେ ଅଖିଳେଶଙ୍କ ପାଇଁ ଭୋଟ ମାଗିବାକୁ ଭୁଲିଯାଇଥିଲେ । ଏପରିକି ସେ ଏହି ଆସନରୁ ଅଖିଳେଶ ଛିଡ଼ା ହୋଇଥିବା ସେ ଭୁଲିଯାଇଥିଲେ । ତାଙ୍କ ନିକଟରେ ଥିବା ସପା ସାଂସଦ ଧର୍ମେନ୍ଦ୍ର ଯାଦବ ତାଙ୍କୁ ଏକଥା ମନେପକାଇବା ସତ୍ତ୍ବେ ସେ କହିଥିଲେ ଯେ, ଏହି ଆସନରୁ ସପାରୁ କିଏ ଛିଡ଼ା ହୋଇଛନ୍ତି ସେ ଜାଣିନାହାନ୍ତି । ତେବେ ସପାରୁ ଯିଏ ବି ଛିଡ଼ା ହୋଇଛନ୍ତି , ତାଙ୍କୁ ଭୋଟ ଦିଅନ୍ତୁ । ନିଜର ପୁଅ ତଥା ସପା ପ୍ରାର୍ଥୀଙ୍କୁ ଭୁଲିଯିବାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଖିଳେଶଙ୍କୁ କଟାକ୍ଷ କରି କହିଛନ୍ତି ଯେ, ସପାରେ ପରିସ୍ଥିତି ବେଶ ଖରାପ ହୋଇଯାଇଛି । ମୁଲାୟମ ଭଲଭାବେ ଜାଣିଛନ୍ତି ଏହି ଆସନରୁ କିଏ ଜିତିବ, ଏଣୁ ସେ ଉପରୋକ୍ତ ମନ୍ତବ୍ୟ ଦେଲେ ।

Related Posts