ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଉପହାର ଦେଲେ ପଞ୍ଜାବ ସରକାର, ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼

ଆଗକୁ ଆସୁଛି ବିଧାନସଭା ନିର୍ବାଚନ | ତେବେ ନିର୍ବାଚନ ପୂର୍ବରୁ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲାଣି | ସେପଟେ ନିର୍ଵାଚନ ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ସରକାର | ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରିଛନି | ଏନେଇ ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘୋଷଣା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଚାଷୀଙ୍କ ପାଖରେ ୫ ଏକରରୁ କମ ଜମି ରହିଛି, ସେମାନଙ୍କୁ ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରାଯିବ।

ଯେଉଁ ଚାଷୀଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କା ଯାଏ ଋଣ ରହିଛି, ସେଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଛାଡ଼ କରାଯିବ। ସେହିପରି ଭୂମିହୀନ ଚାଷୀଙ୍କ ଋଣ ମଧ୍ୟ ଛାଡ଼ ହେବ। ଋଣ ନେଇଥିବା ଚାଷୀଙ୍କ ଖାତାରେ ପଞ୍ଜାବ ସରକାର ୧୦ରୁ ୧୫ ଦିନ ମଧ୍ୟରେ ଏଥିପାଇଁ ୨ ହଜାର କୋଟି ଟଙ୍କା ଜମା କରିବେ। ପଞ୍ଜାବ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି। ଏଥିସହ ଜମି ବନ୍ଧା ରଖିଥିବା ଚାଷୀଙ୍କୁ ମଧ୍ୟ ଋଣ ଛାଡ଼ କରାଯିବ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଋଣ ବି ମାଫ କରାଯିବ। ଏହାବାଦ ଆଗକୁ ଚାଷୀଙ୍କ ସବୁ ଋଣ ଛାଡ଼ କରିବାକୁ ପଞ୍ଜାବ କ୍ୟାବିନେଟ ଚିନ୍ତା କରୁଥିବା ସେ କହିଛନ୍ତି।

ପଞ୍ଜାବ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧.୫ ଲକ୍ଷ ଚାଷୀଙ୍କୁ ଫାଇଦା ମିଳିବ।

Related Posts