ନୟାଗଡ଼(ସତ୍ୟପାଠବ୍ୟୁରୋ ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଥିବାବେଳେ ଭିଡ଼ହିଂସା ଭଳି ଘଟଣା ବାରମ୍ବାର ଘଟୁଛି। କଥା କଥାକେ ଶହ ସହ ଲୋକ ଏକାଠି ହୋଇ କାହାର ଜୀବନ ନେବାକୁ ବି ପଛାଉ ନାହାନ୍ତି। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ। ଗାଁର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅଭିମନ୍ୟୁ ସାହୁ। ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ଗତ ରବିବାର ସନ୍ଧ୍ୟାରୁ ନିଖୋଜ ହୋଇଥିଲେ ଅଭିମନ୍ୟୁ । ପରେ ସୋମବାର ଗାଁ ନିକଟ ନଈ ପଠାରୁ ଅଭିମନ୍ୟୁଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ସୂଚନା ଅନୁସାରେ, ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁର ଯୁବକ ଅଭିମନ୍ୟୁ ସାହୁ ବାସନ୍ଦ ହୋଇ ଅଲଗା ରହୁଥିଲେ। ଗାଁ କମିଟିର ସର୍ତ୍ତକୁ ମାନୁ ନଥିଲେ ଅଭିମନ୍ୟୁ। ସେଥିପାଇଁ ଗାଁ ଲୋକେ ତାଙ୍କୁ ହତ୍ୟାକରି ନଈରେ ଭସାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ପୋଲିସ ଘଟଣାସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତକୁ ଆଗକୁ ବଢ଼ାଇଛି। ସେପଟେ ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହେବା ପରେ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି ଡାଳିଆମଡ଼ା ଗାଁ।