ବେଙ୍ଗାଲୁରୁ, (ସତ୍ୟପାଠବ୍ୟୁରୋ): କର୍ଣ୍ଣାଟକର ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମାଦାପଟ୍ଟନା ନିକଟରେ ଥିବା ଏକ ପଥର ଖଣିରେ ବିଶାଳ ପଥର ଖସିପଡ଼ିବାରୁ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। କାବେରୀ କମ୍ପାନୀର କର୍ମଚାରୀମାନେ ଏକ ବଡ଼ ପଥର ଉପରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପ୍ରାୟ ୧୦୦ ଫୁଟ୍ ଉଚ୍ଚତାରେ ଏକ କ୍ରେନ୍ ସେହି ସ୍ଥାନ ସଫା କରିବା ପାଇଁ ପଥର ଉପରକୁ ଉଠାଉଥିଲା। ହେଲେ ହଠାତ ଗୋଟିଏ ବଡ ପଥର ସେଠାରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା। ଏହି ସମୟରେ ଖଣିରେ ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ। ଫଳରେ ଏକ ବଡ଼ ପଥର ଖସିପଡ଼ି ତଳେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା। ଦୁର୍ଘଟଣାର ଖବର ମିଳିବା ପରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୭ ଜଣ ଶ୍ରମିକ ବିହାରର ବାସିନ୍ଦା। ଦୁର୍ଘଟଣାରେ ଆହୁରି ଅନେକ ଶ୍ରମିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।