ପଶ୍ଚିମ ଘାନାରେ ଭୟଙ୍କର ବିସ୍ଫୋରଣ, ଟ୍ରକ ଓ କାର ଧକ୍କା, 17 ମୃତ

ପଶ୍ଚିମ ଘାନାରେ ଘଟିଛି ଭୟଙ୍କର ବିସ୍ଫୋରଣ । ଗୋଟିଏ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ଅକାଳରେ ଚାଲିଯାଇଛି ୧୭ଜଣଙ୍କ ଜୀବନ । ଦୁର୍ଘଟଣାରେ ପାଖାପାଖି ୫୯ ଜଣ ଆହତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ବିସ୍ଫୋରଣରେ ଅନେକ ଘର ଭାଙ୍ଗିରୁଜି ପାଉଁଶ ହୋଇଛି । ବିସ୍ଫୋରଣ ସମୟରେ ସମଗ୍ର ଅଞ୍ଚଳର କଳାଧୂଆଁମୟ ହୋଇଥିଲା । ସମସ୍ତ ଆହତଙ୍କ ମଧ୍ୟରୁ ୪୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।ଘଟଣାକୁ ନେଇ ଘାନାର ରାଷ୍ଟ୍ରପତି ନାନା ଅକୁଫ ଅଡୋ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଏହା ଦୁର୍ଭାଗ୍ୟଜନକ ଦୁର୍ଘଟଣା । ଆହତମାନଙ୍କ ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସରକାରୀ ସ୍ତରରେ ନିର୍ଦ୍ଦେଶ ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ବିସ୍ଫୋରକ ବିଶେଷଜ୍ଞ ଟିମ ନିୟୋଜିତ ଅଛନ୍ତି ।

Related Posts