ସମ୍ବଲପୁର,୧୧|୬: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶଙ୍କର ମଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ଅଟୋକୁ ପଛରୁ ଆସୁଥିବା ସଫାରୀ ଗାଡି ପିଟି ଓଲଟି ପଡ଼ି ବନ୍ଧ ଭିତରେ ଖସି ପଡିଥିଲା। ଫଳରେ ଦୁର୍ଘଟଣାରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସମ୍ବଲପୁର ଧନୁପାଲିର ସୁରେନ୍ଦ୍ର ବେହେରା( ୩୫) ଓ ତାଙ୍କ ଝିଅ ଶୁଭଶ୍ରୀ ବେହେରା (୫)। ସୁରେନ୍ଦ୍ର ନିଜ ଅଟୋରେ ଝିଅକୁ ନେଇ ଘରକୁ ଫେରୁଥିଲେ । ଏହି ସମୟରେ ଶଙ୍କର ମଠ ପାଖରେ ଥିବା ରାସ୍ତା କଡ଼ ଏକ ଦୋକାନ ସାମ୍ନାରେ ଅଟୋ ଛିଡା କରିଥିଲେ । ତେବେ ପଛ ପଟୁ ଏକ ସଫାରୀ ଗାଡି ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଅଟୋଟି ଚୁରମାର ହେବା ସହ ବାପ ଝିଅଙ୍କ ମୃତ୍ୟୁ ହୋଇଛି । ଅଟୋକୁ ଧକ୍କା ଦେବା ପରେ ସଫାରୀ ଗାଡି ପୋଖରୀ ଭିତରକୁ ପଶି ଯାଇଥିଲା। ଏହା ସହ ସଫାରୀ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ସୂଚନା ମିଳିଛି।