ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ କରୁଛନ୍ତି ବାଟମାରଣା

କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଟାର୍ଗେଟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ କିନ୍ତୁ ଏଠାରେ ବାଟମାରଣା କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ।

ପଂଚାୟତ ନିର୍ବାଚନ ପ୍ରଚାରରେ ମୟୂରଭଞ୍ଜ ଜିଲ୍ଲାର ୨ ନମ୍ବର ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ଉଦଳା ବ୍ଲକର କୋଚିଲାଦିସା ପଂଚାୟତରେ ଏକ ନିର୍ବାଚନୀ ସଭାରେ ଭୋଟ ମାଗିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଅଫିସରଙ୍କୁ କଡ଼ା ସମାଲୋଚନା ସହ ବିଜେଡି ସରକାରର ବିଫଳତା ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଥିଲେ ଯେ, ବିଭିନ୍ନ ଜନକଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ଦେଉଥିବା ପାଣ୍ଠିକୁ ଓଡ଼ିଶାରେ ଲୁଟ୍ କରାଯାଉଛି। ଆଦିବାସୀ, ଚାଷୀଙ୍କ ବିକାଶ ପାଇଁ ଆସୁଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀ ଓ ବିଜେଡିର ପ୍ରଚାର ନିମନ୍ତେ ଖର୍ଚ୍ଚ କରାଯାଉଛି । କେନ୍ଦ୍ରରେ ଥିବା ମୋଦି ସରକାର ଗଢ଼ୁଥିବାବେଳେ ଏଠି ନବୀନ ସରକାର ଭାଙ୍ଗିବାରେ ବ୍ୟସ୍ତ । ବିଜୁ ସ୍ୱାସ୍ଥ୍ୟ କାର୍ଡ କେବଳ ଏକ ଭାଣ୍ଡାମି । କେନ୍ଦ୍ର ଚାଉଳ ଦେଉଛି, ଏଠି ଶଙ୍ଖ ଚିହ୍ନ ଲଗାଇ ପ୍ରଚାର କରାଯାଉଛି । ସେହିପରି ମହିଳାମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଆରମ୍ଭ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ଓଡ଼ିଶାରେ ‘ମିଶନ ଶକ୍ତି’ ନାଁରେ ନାମିତ ହୋଇଛି । ଆଉ ଏହାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନଙ୍କ ପତ୍ନୀ ନେଇଛନ୍ତି । ତାଙ୍କୁ ଓଡ଼ିଶାର ଦାୟିତ୍ୱ ଦିଆଯାଇଛି ।

Related Posts