ପୁଣି ଦେଶରେ କରୋନା ବଢ଼ାଇଲା ବେକାରିଙ୍କ ସଂଖ୍ୟା | ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ପକ୍ଷରୁ କରାଯାଇଥିବା ସର୍ଭେ ରୁ ଏହି ତଥ୍ୟ ସାମ୍ନାକୁ ଆସିଛି | ଦେଶରେ ବେକାରୀ ସଂଖ୍ୟା ବଢିଥିବା ନେଇ ଜଣାପଡ଼ିଛି । ୨୦୨୧ ଡିସେମ୍ବରରେ ବେକାରି ହାର ୭.୯୧%ରେ ପହଞ୍ଚିଛି ଯାହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ ବୋଲି ଏହା ଜଣାଇଛି । ୨୦୨୧ର ନଭେମ୍ବରରେ ବେକାରି ହାର ୭.୭୫% ଓ ଅକ୍ଟୋବରରେ ୭% ଥିଲା। କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବରେ ଅଗଷ୍ଟ ମାସରେ ବେକାରି ହାର ଏହାର ସର୍ବୋଚ୍ଚ ସ୍ତର ୮.୩%ରେ ପହଞ୍ଚିଥିଲା ।

ସିଏମ୍‌ଆଇଇ ତଥ୍ୟ ଅନୁଯାୟୀ, ୨୦୨୧ ଡିସେମ୍ବରରେ ସହରାଞ୍ଚଳ ବେକାରି ହାର ୯.୩୦%କୁ ବୃଦ୍ଧି ପାଇଥିବା ବେଳେ ଗ୍ରାମୀଣ ବେକାରି ହାର ୭.୨୮ ପ୍ରତିଶତ ରହିଛି । ନଭେମ୍ବରରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବେକାରି ହାର ଯଥାକ୍ରମେ ୮.୨୧ ପ୍ରତିଶତ ଓ ୬.୪୪ ପ୍ରତିଶତ ଥିଲା । ଓମିକ୍ରନ ଭାରିଆଣ୍ଟ୍‌ ବ୍ୟାପିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ରହିବା ଓ ଗ୍ରାହକଙ୍କ ମନସ୍ତତ୍ତ୍ବ ଦୁର୍ବଳ ରହିବା କାରଣରୁ ବେକାରି ହାର ବଢ଼ିଥିବା ଅନୁମାନ କରାଯାଉଛି ।

ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ବର୍ତ୍ତମାନ ପରିସ୍ଥିତିରେ ଭାରତୀୟଙ୍କ ଦୁଇ ପ୍ରମୁଖ ଚିନ୍ତା ହେଉଛି ବେକାରି ଓ କରୋନା ମହାମାରୀ । ଆଇପସ୍‌ର ‘ହ୍ବାଟ୍‌ ୱରିଜ୍ ଦି ୱାର୍ଲଡ୍‌’ ସର୍ଭେ‌ରେ ଭାଗ ନେଇଥିବା ୭୦% ସହରାଞ୍ଚଳ ଭାରତୀୟ ଭାବୁଛନ୍ତି ଯେ ଦେଶ ଠିକ୍ ଦିଗରେ ଆଗକୁ ବଢ଼ୁଛି । କିନ୍ତୁ ବେକାରି ଓ ଚାକିରିର ସୁରକ୍ଷାକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି । ଓମିକ୍ରନ ଭାରିଆଣ୍ଟ୍ ବ୍ୟାପୁଥିବାରୁ ସାରା ବିଶ୍ବ ପାଇଁ ଏବେ ଏହା ସବୁଠୁ ବଡ଼ ଚିନ୍ତାର କାରଣ ଭାବେ ଉଭା ହୋଇଛି । ଭାରତୀୟଙ୍କ ପାଇଁ ମହାମାରୀ ହେଉଛି ତୃତୀୟ ବଡ଼ ସମସ୍ୟା ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି।

ଭାରତରେ ନିଯୁକ୍ତି ଓ ବେକାରି ତଥ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇରହିଛି। ଏହାର କୌଣସି ବିଶ୍ବସନୀୟ ତଥ୍ୟ ଏପର୍ଯ୍ୟନ୍ତ ଜାରି ହୋଇପାରିନାହିଁ। ଘ‌ରୋଇ କ୍ଷେତ୍ରର ସଂସ୍ଥା ସିଏମ୍‌ଆଇଇ ବେକାରିର ଯେଉଁ ଚିତ୍ର ଉପସ୍ଥାପନ କରୁଛି ତାହା ସରକାର ଜାରି କରୁଥିବା ଇପିଏଫ୍ଓର ନୂଆ ସଦସ୍ୟ ଯୋଗ ଦେବା ତଥ୍ୟ ସହ ମେଳ ଖାଉନାହିଁ।