ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ୪୫ ବର୍ଷ ମଧ୍ୟରେ ବର୍ତ୍ତମାନ ଭାରତରେ ବେରୋଜଗାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ତେଣୁ ଦେଶର ଯୁବବର୍ଗର ଭବିଷ୍ୟତକୁ ମଜଭୁତ କରିବା ଓ ସେମାନଙ୍କର ଚିନ୍ତାଧାରାକୁ ସକ୍ରିୟ କରିବା କଂଗ୍ରେସର ଦାୟିତ୍ୱ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଭାରତ ଯୋଡ଼ ଯାତ୍ରା ଅବସରରେ ଶୁକ୍ରବାର କେରଳର କୋଲାମ ଜିଲ୍ଲା ନୀନ୍ଦାକରରେ ପହଞ୍ଚିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାହୁଲ ଗାନ୍ଧୀ। ଏକ ଫେସ୍ବୁକ ପୋଷ୍ଟରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ମୁଁ ଏହି ଯାତ୍ରା ସମୟରେ ଦେଶର ଅନେକ ଯୁବବର୍ଗ ସହ ମିଶିଛି ଓ ସେମାନଙ୍କ ପାଖରୁ ସେମାନଙ୍କର ଦାବି ବିଷୟରେ ଜାଣିବାକୁ ପାଇଛି। ଯଦି ଦେଶ ଯୁବବର୍ଗର ଶକ୍ତିକୁ ବ୍ୟବହାର କରିପାରିବ ତେବେ ଦ୍ରୁତ ଗତିରେ ଦେଶର ଅବିବୃଦ୍ଧି ହେବ ବୋଲି ସେ କହିଛନ୍ତି।
ରାହୁଲ ଆହୁରି ଲେଖିଛନ୍ତି ଯେ, ଗତ ୪୫ ବର୍ଷରେ ବର୍ତ୍ତମାନ ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଶିକ୍ଷିତ ଯୁବବର୍ଗ ନିଯୁକ୍ତି ପାଇଁ ଏଣେତେଣେ ବୁଲୁଛନ୍ତି ଓ ନିରାଶ ହେଉଛନ୍ତି। ତେଣୁ ଆମର କର୍ତ୍ତବ୍ୟ ହେଲା ଯୁବବର୍ଗର ଭବିଷ୍ୟତ ମଜଭୁତ କରିବା ଓ ସେମାନଙ୍କ ମନରେ ସକ୍ରିୟତା ଆଣିବା। ଆଉ ଏହା ହିଁ ବର୍ତ୍ତମାନ ସମୟର ଆହ୍ବାନ ବୋଲି ରାହୁଲ ଫେସ୍ବୁକ୍ ପୋଷ୍ଟରେ ଲେଖିଛନ୍ତି। ଏହା ଛଡ଼ା ତାଙ୍କର ଭାରତ ଯୋଡ଼ ଯାତ୍ରାର ଉଦ୍ଦେଶ୍ୟ ହେଉଛି ପିଲା,ବୁଢ଼ା, ଯୁବବର୍ଗ, ମହିଳା, ଗରିବ, ଆଦିବାସୀ ଓ କୃଷକଙ୍କ ସହ ମିଶିବା ଓ ସେମାନଙ୍କ ସମସ୍ୟା ଜାଣି ସମାଧାନ କରିବା ବୋଲି ରାହୁଲ କହିଛନ୍ତି।
ସୂଚନାଯୋଗ୍ୟ ଯେ, କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଯାହା ୩୫୭୦ କିମି ଯିବା ପରେ ଜାମ୍ମୁ-କାଶ୍ମୀରରେ ସରିବ। ଏହି ଅଭିଯାନରେ କଂଗ୍ରେସ ସେପ୍ଟେମ୍ବର ୧୦ ତାରିଖରେ କେରଳରେ ପ୍ରବେଶ କରିଥିଲା। ରାଜ୍ୟରେ ୪୫୦ କିମି ପଦଯାତ୍ରା କରିବ କଂଗ୍ରେସ। ୧୯ ଦିନର ରାଜ୍ୟର ୭ ଜିଲ୍ଲାକୁ ଯିବା ସହ ଅକ୍ଟୋବର ୧ ତାରିଖରେ କର୍ଣ୍ଣାଟକରେ ଏହି ଯାତ୍ରା ପ୍ରବେଶ କରିବ ବୋଲି ସୂଚନା ମିଳିଛି।
