“ରୋଜଗାର ପାଇଁ ଦେଶର ଯୁବସମାଜ ଆଉ କେତେ ଅପେକ୍ଷା କରିବ ?”; ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ସାଂସଦ ବରୁଣ ଗାନ୍ଧୀ ସବୁବେଳେ ନିଜ ବୟାନ ପାଇଁ କେନ୍ଦ୍ରରେ ଥିବା ନିଜ ଦଳର ସରକାର ପାଇଁ ଅଡୁଆ ସୃଷ୍ଟି କରି ଆସିଛନ୍ତି। ତେବେ ପୁଣି ଥରେ ବରୁଣ ସରକାରଙ୍କୁ ଘେରିଛନ୍ତି । ଏଥର ରୋଜଗାର ହାର ହ୍ରାସ ପାଇବା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବରୁଣ । ଟ୍ବିଟ କରି ବରୁଣ କହିଛନ୍ତି, ଦେଶରେ ରୋଜଗାର ହାର ହ୍ରାସ ପାଇବାରେ ଲାଗିଛି, ଯାହା ଗତ ୫ ବର୍ଷରେ ସର୍ବନିମ୍ନ । ଏପରି ସ୍ଥିତିରେ ରୋଜଗାର ପାଇଁ ଯୁବସମାଜକୁ କେତେ ଅପେକ୍ଷା କରିବାକୁ ପଡିବ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।ବରୁଣ କହିଛନ୍ତି, ”ରୋଜଗାର ୨୦.୯% ରୁ ହାର ହ୍ରାସ ପାଇ ୧୦.୪% ରେ ପହଞ୍ଚିଲାଣି । ଯାହା ଗତ ୫ ବର୍ଷ ମଧ୍ୟରେ ସର୍ବନିମ୍ନରେ ସ୍ତରରେ ପହଞ୍ଚିଛି । ନିକଟରେ ପ୍ରଧାନମନ୍ତ୍ରୀଜୀ ସମସ୍ତ ବିଭାଗରେ ଖାଲି ଥିବା ପ୍ରାୟ ୧୦ ଲକ୍ଷ ପଦବୀ ପୂରଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୌଣସି ବିଭାଗ ସେ ଦିଗରେ ସଠିକ ପଦକ୍ଷେପ ଗ୍ରହଣ କରିବା ପାଇଁ ସକ୍ଷମ ହେଲେ ନାହିଁ । ଏପରି ସ୍ଥିତିରେ ଦେଶର ସଂଘର୍ଷଶୀଳ ଯୁବସମାଜ ଆଉ କେତେ ଅପେକ୍ଷା କରିବ।”

ସେ ଏକ ତଥ୍ୟ ସମ୍ବଳିତ ତାଲିକା ମଧ୍ୟ ଟ୍ବିଟରେ ସଲଗ୍ନ କରିଛନ୍ତି । ଯେଉଁଥିରେ ରୋଜଗାରର ଏକ ତଥ୍ୟ ସୂଚାକାଙ୍କ ମଧ୍ୟ ରହିଛି । ଏଥିରେ ଯୁବକଙ୍କ ନିଯୁକ୍ତି ହାର ପୂର୍ବରୁ ୨୦.୯ ପ୍ରତିଶତ ଥିବା ବେଳେ ଏହା ଏବେ ୧୦.୪ ପ୍ରତିଶତକୁ ଖସିଛି । ଯାହା ଗତ ୫ ବର୍ଷରେ ସର୍ବନିମ୍ନ ବୋଲି ଚାର୍ଟରେ ଦର୍ଶାଯାଇଛି । ପୂର୍ବରୁୁ ମଧ୍ୟ ବିଜେପି ସାଂସଦ ବରୁଣ ଏକାଧିକ ପ୍ରସଙ୍ଗରେ ନିଜ ଦଳ ବିଜେପି ନେତୃତ୍ବାଧୀନ ସରକାରଙ୍କୁ କଡା ସମାଲୋଚନା କରିଥିବାର ନଜିର ରହିଛି । ପୂର୍ବରୁ ସେ ଯୁବକଙ୍କ ରୋଜଗାର ଓ କୃଷକଙ୍କ ପାଇଁ ମଧ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରି ଚର୍ଚ୍ଚାକୁ ଆସି ସାରିଛନ୍ତି ।

ସୂଚନା ଅନୁସାରେ, ଗତ ଜୁନ ମାସରେ ଦେଶରେ ମୋଟ ୧୦ ଲକ୍ଷ ପଦବୀରେ ଭର୍ତ୍ତି ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ବିଭିନ୍ନ ବିଭାଗ ଏହି ଦିଗରେ ମିଶନ ମୋଡରେ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏକାଧିକ ମନ୍ତ୍ରଣାଳୟ ଓ ସରକାରୀ ବିଭାଗରେ ଖାଲି ପଡିଥିବା ପଦବୀରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବା ନେଇ ନିର୍ଦ୍ଦେଶ ମିଳି ସାରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ଘୋଷଣା ଶିଥିଳ ପଡିଥିବା ବରୁଣ କହିଛନ୍ତି ।

Related Posts