ଗୁଣପୁର(ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଗୁଣପୁର ଓ କଲ୍ୟାଣସିଂହପୁର ବ୍ଲକରେ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବ‌େଳେ ୩ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଗୁଣୁପୁର ଥାନା ଅନ୍ତର୍ଗତ ଚୈତନ୍ୟଗୁଡ଼ା ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକ ଗୁଣୁପୁର ସହରର ପୁରୁଣା ପୋଷ୍ଟ ଅଫିସ ସାହିର ବାଇକ ମେକାନିକ୍ ଚିନ୍ତାଡା ରମେଶ। ସେହିପରି କଲ୍ୟାଣସିଂହପୁର ବ୍ଲକ ବେଲକଣାରେ ଗୋଟିଏ ବସ୍ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ପେଦିରୁ ଏଲୁଜ୍ । ପେଦିରୁ ଶେ‌ଷଖାଲ୍ ଅଞ୍ଚଳରୁ ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ କଲ୍ୟାଣସିଂହପୁର ବ୍ଲକ ସିକରପାଇ ଅଭିମୁଖେ ଯାତ୍ରା କରୁଥିଲେ। କଲ୍ୟାଣସିଂହପୁର ଥାନା ରାଜ୍ୟ ରାଜପଥ  ୪୫ ରେ ବେଲକଣା ନିକଟରେ ପେଦିରୁଙ୍କ ବାଇକ ସହ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ପେଦିରୁ ମୃତ୍ୟୁବରଣ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କ୍ଷତିପୁରଣ ଦାବି କରି ପାଖାପାଖି ୪ ଘଣ୍ଟା ଧରି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳକୁ କଲ୍ୟାଣସିଂହପୁର ପୋଲିସ ଲୋକଙ୍କୁ ବୁଝାଶୁଝା କରି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଏନେଇ କଲ୍ୟାଣସିଂପୁର ପୋଲିସ ତଦନ୍ତ କରୁଛି ।