ପ୍ରତିଶୃତି ଦେଇ ପ୍ରତିଶୃତି ରଖିଲାନି କେନ୍ଦ୍ର | କେନ୍ଦ୍ର ସରକାରଙ୍କୁ ପ୍ରତିଶୃତି ମନେ ପକାଇବା ନେଇ ଆଜି ପୁଣି ରାଜରାସ୍ତାକୁ ଓଲ୍ଲାହିଁବେ ଚାଷୀ | ଦୀର୍ଘଦିନ ହେବ ଆନ୍ଦୋଳନ ରତ ଥିବା ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଭୁଲିଯାଇଛି କେନ୍ଦ୍ର । ତେଣୁ ଆଜି ଦେଶବ୍ୟାପୀ ବିଶ୍ବାସଘାତକ ଦିବସ (Betrayal Day) ପାଳିବେ ଚାଷୀ । ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ କିଶାନ ୟୁନିୟନ ମୁଖ୍ୟ ପ୍ରବକ୍ତା ରାକେଶ ଟିକୟତ ।
ଟିକାୟତ କହିଛନ୍ତି, ଗତବର୍ଷ ଡିସେମ୍ବର 9 ତାରିଖରେ ସରକାରଙ୍କ ପ୍ରତିଶ୍ରୁତି ପତ୍ର ଆଧାରରେ ଦିଲ୍ଲୀ ସୀମାରେ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ଚାଷୀ । ତେବେ ଆନ୍ଦୋଳନ ଶେଷ କରିବା ପରେ ସରକାର ଚାଷୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସୁଦ୍ଧା ମଧ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ।ତେଣୁ ଚାଷୀମାନେ ପୁଣି ସରକାରଙ୍କୁ ଉକ୍ତ ପ୍ରତିଶ୍ରୁତି ସମ୍ପର୍କରେ ଅବଗତ କରାଇବା ପାଇଁ ଦେଶବ୍ୟାପୀ ଆଜି ବିଶ୍ବାସଘାତକ ଦିବସ ଭାବେ ପାଳନ କରିବେ । ଡିସେମ୍ବର 9ରେ ସରକାର ଦେଇଥିବା ଚିଠି ଆଧାରରେ ଏହି ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା କିନ୍ତୁ ସରକାର ଚାଷୀଙ୍କୁ ଠକିଲେ ବୋଲି କହିଛନ୍ତି ରାକେଶ ଟିକାୟତ ।NDA ନିୟନ୍ତ୍ରଣାଧୀନ କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି 2020 ନଭେମ୍ବରରେ ଦିଲ୍ଲୀ ସୀମା ସହ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଥିଲେ ଚାଷୀ । ତେବେ ପ୍ରାୟ ଦେଢ ବର୍ଷର ଆନ୍ଦୋଳନ ପରେ ସରକାରଙ୍କ ପ୍ରତିଶ୍ରୁତି କ୍ରମେ ଏହି ଆନ୍ଦୋଳନ ଶେଷ ହୋଇଥିଲା ।
କୃଷି ଆଇନ ରଦ୍ଦ, ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଉପରେ ଗ୍ୟାରେଣ୍ଟି ପ୍ରଦାନ ଆଦି ପ୍ରସଙ୍ଗରେ ସରକାର ଓ ଚାଷୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ଗତ ଶୀତ ଅଧିବେଶନରେ କୃଷି ଆଇନ ବିଧିବଦ୍ଧ ଭାବେ ପ୍ରତ୍ୟାହୃତ ହୋଇସାରିଥିବା ବେଳେ MSP ଉପରେ କମିଟି ଗଠନ ନେଇ ହୋଇଥିବା ସହମତି ଉପରେ ସରକାର କିଛି ଆଗେଇ ନଥିବା ଟିକାୟତ ଅଭିଯୋଗ କରିଛନ୍ତି ।
