ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଜାଫରପୁର ଓ ଦରଭଙ୍ଗାରେ ମିଳିତ ରାଲି କରି ଏନ୍‌ଡିଏ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।

ନୀତୀଶଙ୍କ ୨୦ ବର୍ଷର ଶାସନରେ ରାସ୍ତା, ବିଦ୍ୟୁତ୍, ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିଶେଷ ଉନ୍ନତି ହୋଇନାହିଁ ଏବଂ କର୍ମନିଯୁକ୍ତି କ୍ଷେତ୍ରରେ ଏନ୍‌ଡିଏ ସରକାର ଦୟନୀୟ ଭାବେ ବିଫଳ ହୋଇଛି ବୋଲି ରାହୁଲ କହିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା କଟାକ୍ଷ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଭୋଟ୍‌ ପାଇଁ କିଛି ବି କରିପାରିବେ। ତାଙ୍କୁ ମଞ୍ଚରେ ନାଚିବାକୁ କହିଲେ ମଧ୍ୟ ସେ ନାଚିବେ ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ, ଏଆଇଏମ୍‌ଆଇଏମ୍ ନେତା ଅସଉଦ୍ଦିନ ଅୱେସୀ ଗୋପାଳଗଞ୍ଜରେ ଆଜି ପ୍ରଚାର କରି ଉଭୟ ଇଣ୍ଡି ମେଣ୍ଟ ଓ ଏନ୍‌ଡିଏକୁ ମୁସ୍‌ଲିମ ବିରୋଧୀ କହି ସମାଲୋଚନା କରିଥିବାର ଦେଖିବାକୁ ମିଳିଛି ।