ନୂଆଦିଲ୍ଲୀ,(ସତ୍ୟପାଠ ବ୍ୟୁରୋ) : ଏଚ୍-୧ବି ଭିସାକୁ ନେଇ ଅନିଶ୍ଚିତତା ମଧ୍ୟରେ ଦେଶ ଫେରିଲେଣି ଶହ ଶହ ଟେକ୍ ପ୍ରଫେସନାଲ। ୯ ମାସରେ ଆମେରିକାରେ ଅବସ୍ଥାପିତ ୧୨,୭୦୦ ଭାରତୀୟ ଟେକ୍ନୋଲୋଜି ପେସାଦାର ଦେଶ ଫେରିଆସିଛନ୍ତି। ଦେଶରେ ସେମାନଙ୍କୁ ସେଭଳି ମୋଟା ଦରମା ମିଳୁନାହିଁ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଅଧୀନରେ ଭିସାକୁ ନେଇ ଅଡୁଆ ବଢିଚାଲିଛି। ସବୁଠୁ ଅଧିକ ପ୍ରଭାବିତ ଭାରତୀୟମାନେ ହୋଇଛନ୍ତି।
ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୧୨,୭୦୦ ହ୍ବାଇଟ୍-କୋଲାର ଟେକ୍ନୋଲୋଜି ପ୍ରଫେସନାଲ ଭାରତକୁ ଫେରି ଆସିଥିବା ଷ୍ଟାଟିଂ କମ୍ପାନି ଏକ୍ସପେନୋର ତଥ୍ୟରୁ ଜଣାପଡିଛି। ୨୦୨୩ରେ ଏ ସଂଖ୍ୟା ୭,୨୦୦ ଥିବାବେଳେ ୨୦୨୪ରେ ୯,୮୦୦କୁ ବଢିଥିଲା। ଏଭଳି ସ୍ଥିତିରେ ଏ ବର୍ଷ ଏଥିରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍ଥିତିରେ ଆମେରିକାରୁ ଫେରିବା ସଂଖ୍ୟା ଭାରତକୁ ବଢିଛି। ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଦେଶରୁ ପଳାଇଥିବା ପେସାଦାରଙ୍କ ସଂଖ୍ୟା ୧୪,୫୦୦ ରହିଛି।
ଏକ୍ସପେନୋର ସହ-ପ୍ରତିଷ୍ଠାତା କମଲ କାରାନ୍ତ କହିଛନ୍ତି ଯେ, ବର୍ଷ ବର୍ଷର ଅଭିଜ୍ଞତା ନେଇ ଭାରତ ଫେରିବା ପରେ ଟେକ୍ନୋଲୋଜି ପେସାଦାର ଏଠାରେ ସେଭଳି ଉପଯୁକ୍ତ ଚାକିରି ପାଉନାହାନ୍ତି। ସେମାନଙ୍କ ପାଇଁ ବର୍ତ୍ତମାନର ନିଯୁକ୍ତି ମାହୋଲ କଷ୍ଟକର ପାଲଟିଛି।
