ଭୁବନେଶ୍ବର, (ସତ୍ୟାପାଠବ୍ୟୁରୋ): ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭରୁ ହୋହାଲ୍ଲା ହୋଇଥିଲା। MMDR ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗ୍ୟରେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ନାରାବାଜି କରିଥିଲେ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ।
ଓଡ଼ିଶା ବିଧାନସଭାର ୯ ଦିନିଆ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମଧ୍ୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ଗୃହ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା । ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ କେନ୍ଦ୍ର ସରକାରଙ୍କ MMDR ଆଇନ ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହରେ ହଙ୍ଗାମା କରିଥିଲେ ।
ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେଡି ବିଧାୟକମାନେ ପାଠ୍ୟପୁସ୍ତକ ତ୍ରୁଟିକୁ ପୋଷ୍ଟର ଓ ପ୍ଲାକାର୍ଡ ମାଧ୍ୟମରେ ଦେଖାଇ ନାରାବାଜି କରିଥିଲେ। ଅନ୍ୟପଟେ, କଂଗ୍ରେସ ବିଧାୟକମାନେ MMDR ସଂଶୋଧନ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ନାରାବାଜି କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡି ବିଧାୟକ ଧ୍ରୁବଚରଣ ସାହୁ ରିପୋଟର୍ସ ଟେବୁଲ ଉପରେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲେ। ହଟ୍ଟଗୋଳ ଯୋଗୁଁ ନା ପ୍ରଶ୍ନକାଳ ଚାଲିପାରିନଥିଲା ଶୂନ୍ୟକାଳ। ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ।
