ସମ୍ବଲପୁର(ସତ୍ୟପାଠବ୍ୟୁରୋ ): ଫୁଲୁଛି ହୀରାକୁଦ ଜଳଭଣ୍ଡାର। ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଆଜି ସନ୍ଧ୍ୟା ୬ ବେଳକୁ ଜଳଭଣ୍ଡାରରେ ୬୦୪. ୧୨ ଫୁଟ ଜଳ ରହିଥିଲା। ଏବେ ୮୯, ୩୫୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୨. ୨୬୪ କ୍ୟୁସେକ ଜଳ ବିଦ୍ୟୁତ ଉତ୍ପାଦନ, ଶିଳ୍ପ, ଓ କେନାଲ ପାଇଁ ନିଷ୍କାସନ ହେଉଛି। ଫଳରେ ଆସନ୍ତା କାଲି ସକାଳ ସୁଦ୍ଧା ଜଲଭଣ୍ଡାରରେ ୬୦୭ ଫୁଟ ଜଳ ପ୍ରବେଶ କରିବା ସମ୍ଭାବନା ରହିଛି। ସେହି କ୍ରମରେ ୯ ତାରିଖ ସୁଦ୍ଧା ଜଳ ପତ୍ତନ ୬୧୦ ପାଖାପାଖି ଅତିକ୍ରମ କରିପାରେ। ଏହାକୁ ଆଖି ଆଗରେ ରଖି ନଦୀବନ୍ଧର ପ୍ରଥମ ବନ୍ୟା ଜଳ ୯ ତାରିଖ ଦିନ ୧୧ ଟାରେ ଛଡ଼ାଯିବ ବୋଲି କର୍ତ୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ଏହି ବିଷୟରେ ଜଣାଇ ବ୍ୟାପକ ସଚେତନତା କରିବାକୁ ଆଜିଠୁ ପଦକ୍ଷେପ ନିଆଯାଇଛି। ଆସନ୍ତା ୯ ତାରିଖ ସକାଳ ୧୧ ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ନେଇ ଉପରୁ ତଳ ମୁଣ୍ଡ ଯାଏ ସମସ୍ତ ଅଧିକାରୀ ଜିଲ୍ଲାପ୍ରଶାସନ ଓ ପୋଲିସଙ୍କୁ ସୂଚନା ଦିଆଯାଇଛି।କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଉଲ୍ଲେଖ କରି ହୀରାକୁଦ ନଦୀବନ୍ଧ ଅଧିକ୍ଷଣ ଯନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।