ବନ୍ୟା ଭୟ: ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ସପ୍ତାହକ ପାଇଁ ବାତିଲ

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ପ୍ରଭାବରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରିଛନ୍ତି । ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କାହାରିକୁ ଛୁଟିରେ ଯିବାକୁ ଅନୁମତି ମିଳିବ ନାହିଁ । ହୀରାକୁଦର ୪୦ଟି ଗେଟ୍ ଖୋଲିଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ନଦୀଗୁଡ଼ିକ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, କଟକର ମୁଣ୍ଡଳୀଠାରେ ଏବେ ପ୍ରାୟ ୧୨ଲକ୍ଷ ୧ହଜାର ୪୨୬କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବେଶ ଯୋଗୁ ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବା ପାଇଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି ।

ଆସନ୍ତା ୪୮ଘଂଟା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ଟି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ଦିନ ପାଇଁ ବାତିଲ କରିଦିଆଯାଇଛି । ଏହାସହିତ ଇଞ୍ଜିନିୟରମାନଙ୍କୁ ନିଜ ସ୍ଥାନ ଛାଡ଼ି ନଯିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ୟା ପ୍ଳାବିତ ଅଂଚଳରୁ ତୁରନ୍ତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଂଚଳରୁ ଲୋକମାନଙ୍କୁ ପ୍ରାଥମିକତା ଦେଇ ସ୍ଥାନାନ୍ତର କରାଯିବା ଏବଂ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୯ଟି ଏନ୍‌ଡିଆରଏଫ୍‌, ୯ଟି ଓଡ୍ରାଫ ଓ ୪୪ଟି ଅତିରିକ୍ତ ଅଗ୍ନିଶମ ସେବା ୟୁନିଟ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ବନ୍ୟା ଜଳ ପ୍ରଭାବିତ ଅଂଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ସହ ସ୍ୱାସ୍ଥ୍ୟ ଓ ପଶୁସମ୍ପଦ ବିଭାଗର ଟିମକୁ ମଧ୍ୟ ସଜାଗ ରଖାଯାଇଛି । ଗୋଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶକ୍ତି ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ, ହୀରାକୁଦର ୪୦ଟି ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ । ଗେଟ୍ ଖୋଲିବାରେ ଛତିଶଗଡ଼ ସହ କିଛି ସମ୍ପର୍କ ନାହିଁ । ବନ୍ୟା ଜଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟେକନିକାଲ କମିଟି ସହ କଥା ହୋଇ ନିଷ୍ପତ୍ତି ନିଆଯାଇଛି । ବନ୍ୟା ଜଳ ନିୟନ୍ତ୍ରଣ କରିବାକୁ ଜଳ ଭଣ୍ଡାର ନିର୍ମାଣ କରାଯାଇଥାଏ । ବନ୍ୟା ଜଳ ନିୟନ୍ତ୍ରଣ ପାଇଁ ଟେକନିକାଲ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ହେଉଛି ।

Related Posts