ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଆଜିକାଲି ପାଠ ପଢାରୁ ଆରମ୍ଭ ସସସ୍ତ କାର୍ଯ୍ୟ ପାଇଁ ଡିଜିଟାଲ ଉପରେ ନିର୍ଭର । ଡିଜିଟାଲ୍ ଦୁନିଆ ଏବେ ପିଲାମାନଙ୍କ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସଦ୍ୟତମ ରିପୋର୍ଟ ଅନୁସାରେ, ବିଶ୍ୱର ୨୧ଟି ପ୍ରମୁଖ ଦେଶରେ ପ୍ରାୟ ୨ କୋଟି ଶିଶୁ ଅନଲାଇନ୍ ଯୌନ ଶୋଷଣ ଏବଂ ନିର୍ଯାତନାର ଶିକାର ହୋଇଛନ୍ତି । ଏହି ଚାଞ୍ଚଲ୍ୟକର ତଥ୍ୟ ୟୁନିସେଫ୍ ର ଏକ ବ୍ୟାପକ ସର୍ଭେରୁ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଆଫ୍ରିକା, ଏସିଆ, ଲାଟିନ୍ ଆମେରିକା ଏବଂ ପୂର୍ବ ୟୁରୋପରେ ୧୨ରୁ ୧୭ ବର୍ଷ ବୟସର ପ୍ରତି ୫ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଅନଲାଇନ୍ ପ୍ଲାଟଫର୍ମରେ କୌଣସି ନା କୌଣସି ପ୍ରକାରର ଯୌନ ଶୋଷଣର ସମ୍ମୁଖୀନ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୧.୫ କୋଟି ପିଲାଙ୍କୁ ଅନାବଶ୍ୟକ ଭାବେ ଯୌନ ସମ୍ବନ୍ଧୀୟ ବିଷୟବସ୍ତୁ ଦେଖାଯାଇଥିବା ବେଳେ ୯୦ ଲକ୍ଷ ପିଲାଙ୍କ ଉପରେ ଅଶ୍ଳୀଳ ଚିତ୍ର ବା କଥାବାର୍ତ୍ତା କରିବାକୁ ଚାପ ପକାଯାଇଛି । ସେହିପରି ପ୍ରାୟ ୪୦ ଲକ୍ଷ ପିଲାଙ୍କ ଯୌନ ଚିତ୍ର ସେମାନଙ୍କ ବିନା ସମ୍ମତିରେ ସେୟାର କରାଯାଇଥିବା ଜଣାପଡ଼ିଛି । ପ୍ରାୟ ୬୦% ଶୋଷଣ ମାମଲା ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ, ସ୍ନାପଚାଟ୍ ଏବଂ ଟିକଟକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘଟୁଛି। ଏହା ବ୍ୟତୀତ ୧୪% ଘଟଣା ଅନଲାଇନ୍ ଗେମିଂ ମାଧ୍ୟମରେ ଘଟୁଛି। ଆହୁରି ମଧ୍ୟ ଆଶ୍ଚର୍ଯ୍ୟଜନକ ତଥ୍ୟ ଏହା ଯେ, ଅଧାରୁ ଅଧିକ ମାମଲାରେ ଶୋଷଣ କରୁଥିବା ବ୍ୟକ୍ତି ଜଣକ ପିଲାଟିର ପୂର୍ବ ପରିଚିତ (ବନ୍ଧୁ, ସମ୍ପର୍କୀୟ କିମ୍ବା ସାଥୀ) ହୋଇଥାନ୍ତି । ମାତ୍ର ୧% ରୁ କମ୍ ମାମଲା ପୋଲିସ କିମ୍ବା ହେଲ୍ପଲାଇନ୍‌ରେ ରିପୋର୍ଟ ହେଉଛି, ଯାହା ସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି । ଏହି ଶୋଷଣର ପ୍ରଭାବ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ଭାବେ ପଡୁଛି। ଶୋଷଣର ଶିକାର ହୋଇଥିବା ପିଲାଙ୍କ ମଧ୍ୟରେ ଆତ୍ମହତ୍ୟା ଚିନ୍ତାଧାରା ଅନ୍ୟ ପିଲାଙ୍କ ତୁଳନାରେ ୪ ଗୁଣା ଅଧିକ ଦେଖିବାକୁ ମିଳୁଛି । ୟୁନିସେଫ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ୟାଥରିନ ରସେଲ କହିଛନ୍ତି, “ଅନେକ ପିଲା ଲଜ୍ଜା ଏବଂ ଭୟରେ ନୀରବରେ ଏହି ଯନ୍ତ୍ରଣା ସହୁଛନ୍ତି।” ୟୁନିସେଫ୍ ପକ୍ଷରୁ ବିଭିନ୍ନ ଦେଶର ସରକାର ଏବଂ ଟେକ୍ କମ୍ପାନୀଗୁଡ଼ିକୁ ଶିଶୁ ସୁରକ୍ଷା ଆଇନ ସୁଦୃଢ଼ କରିବାକୁ, ଏଆଇ ଦ୍ୱାରା ହେଉଥିବା ଅପବ୍ୟବହାରକୁ ରୋକିବାକୁ ଏବଂ ରିପୋର୍ଟିଂ ବ୍ୟବସ୍ଥାକୁ ଅଧିକ ସରଳ କରିବାକୁ ଅନୁରୋଧ କରାଯାଇଛି ।