ୱାଶିଂଟନ (ସତ୍ୟପାଠ ବ୍ୟୁରୋ) : ଭାରତର ଟାଟା କନସଲଟେନ୍ସି ସର୍ଭିସେସ ଓ ଇନଫୋସିସ ସମେତ ୮ଟି ପ୍ରମୁଖ ବୈଷୟିକ କମ୍ପାନୀର ଗ୍ରୀନ୍ କାର୍ଡ ଆବେଦନ ପ୍ରକ୍ରିୟାକୁ ଆମେରିକାର ଟ୍ରମ୍ପ ପ୍ରଶାସନ ଅଚଳ କରିଦେବା ସହ ପ୍ରସିଦ୍ଧ ୯ଟି ବିଶ୍ୱବିଦ୍ୟାଳୟ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ବିଦେଶୀ କୁଶଳୀ ଶ୍ରମିକ ନିଯୁକ୍ତି କାର୍ଯ୍ୟକ୍ରମରେ ହେଉଥିବା ଠକେଇ ଓ ଆମେରିକୀୟଙ୍କ ଚାକିରି ହରାଇବାକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଆମେରିକା ଶ୍ରମ ସଚିବ କିଥ୍ ସୋଣ୍ଡରଲିଙ୍ଗ ପ୍ରକାଶ କରିଛନ୍ତି ଯେ କୋଗନିଜାଣ୍ଟ, ଇନଫୋସିସ, ଟିସିଏସ, ୱିପ୍ରୋ, ଏଚସିଏଲ ଟେକ୍ନୋଲୋଜିସ, ମାଇକ୍ରୋସଫ୍ଟ, ଅଡୋବ୍ ଏବଂ କ୍ୟାପଜେମିନି ପରି କମ୍ପାନୀଗୁଡ଼ିକର କୌଣସି ନୂଆ କିମ୍ବା ବିଚାରାଧୀନ ଥିବା ସ୍ଥାୟୀ ଶ୍ରମ ପ୍ରମାଣପତ୍ର ଆବେଦନ ଗ୍ରହଣ କରାଯିବ ନାହିଁ। ଆମେରିକୀୟ ଶ୍ରମିକଙ୍କ ବେତନ କମାଇ ବିଦେଶୀ ଚାକିରିଆଙ୍କୁ ଶସ୍ତାରେ ନିଯୁକ୍ତି ଦେଇ କମ୍ପାନୀଗୁଡ଼ିକ ମାଲାମାଲ ହେଉଛନ୍ତି ବୋଲି ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି ।
ଏହା ସହିତ ହାର୍ଭାର୍ଡ, ୟେଲ୍, ଷ୍ଟାନଫୋର୍ଡ, ବ୍ରାଉନ୍ ଓ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସମେତ ୯ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ”ଜେ-୧” ଏକ୍ସଚେଞ୍ଜ-ଭିଜିଟର ଭିଜାର ଅପବ୍ୟବହାର କରି ଆମେରିକୀୟଙ୍କ ନିଯୁକ୍ତି ହ୍ରାସ କରୁଥିବା ଅଭିଯୋଗରେ ତଦନ୍ତର ପରିସରଭୁକ୍ତ ହୋଇଛନ୍ତି। ଶ୍ରମ ବିଭାଗର ଇନସପେକ୍ଟର ଜେନେରାଲ ଆନ୍ଥୋନୀ ଡି”ଏସପୋସିଟୋ ଏହି ନୋଟିସ ଜାରି କରିଛନ୍ତି। ଯଦିଓ ଏହି ସ୍ଥଗିତାଦେଶ ”ଏଚ୍-୧ବି” ଭିଜାଧାରୀଙ୍କୁ ସିଧାସଳଖ ପ୍ରଭାବିତ କରିବ ନାହିଁ, ତଥାପି ଏହା ଦ୍ୱାରା ହଜାର ହଜାର ଭାରତୀୟ ଆଇଟି କର୍ମଚାରୀଙ୍କ ପାଇଁ ସ୍ଥାୟୀ ନାଗରିକତା ପାଇବାର ମାର୍ଗ ବନ୍ଦ ହୋଇଯିବ ।
