ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ପ୍ରକୃତିର ତାଣ୍ଡବରେ ନୟାନ୍ତ ନେପାଳ। ଭୟଙ୍କର ବନ୍ୟା ଯୋଗୁ ଭାଙ୍ଗିଯାଇଛି ନେପାଳର ମେରୁଦଣ୍ଡ। ତିବ୍ବତ ସୀମାକୁ ଲାଗିଥିବା ଅଞ୍ଚଳରେ ହଠାତ୍ ଆସିଥିବା ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଭଳି କଠିନ ସମୟରେ ନେପାଳ ପାଇଁ ସହାୟତାର ହାତ ବଢ଼ାଇଛି ଭାରତ। ବନ୍ୟା ମୁକାବିଲା ପାଇଁ ଭାରତ ପକ୍ଷରୁ ୧୦ ଟନ୍ ରିଲିଫ୍ ସାମଗ୍ରୀ ଓ ଜରୁରୀ ଔଷଧ ପଠାଯାଇଥିବା ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।
ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ‘ଏଭଳି ସଙ୍କଟ ସମୟରେ ଭାରତ ନେପାଳ ଓ ନେପାଳବାସୀଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସେ ଶୋକ ପ୍ରକାଶ କରିବା ସହ ବିପଦରେ ପଡ଼ିଥିବା ସମସ୍ତଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ନେପାଳକୁ ପଠାଯାଇଥିବା ରିଲିଫ୍ ସାମଗ୍ରୀ ଓ ଔଷଧ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ହେବ।
ନେପାଳର ଉତ୍ତର ଜିଲ୍ଲାଗୁଡ଼ିକରେ ବୁଧବାର ସକାଳେ ହଠାତ୍ ବନ୍ୟା ଆସିବା ପରେ ଭାରତ ପକ୍ଷରୁ ଜରୁରୀ ସହାୟତା ପଠାଯାଉଛି। ଭାରତୀୟ ବାୟୁସେନାର ବିମାନ ମାଧ୍ୟମରେ ଔଷଧ, ରାସନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ନେପାଳକୁ ପଠାଯିବ। ଭାରତ ସରକାରଙ୍କ ମାନବୀୟ ସହାୟତା ଓ ବିପର୍ଯ୍ୟୟ ରିଲିଫ୍ ପଦକ୍ଷେପ ଅଧୀନରେ ଏହି ସହାୟତା ପଠାଯାଉଛି।
