କାଠମାଣ୍ଡୁ, (ସତ୍ୟପାଠବ୍ୟୁରୋ): ନେପାଳରେ ଜଳପ୍ରଳୟ ଭୂମିକମ୍ପ ଯୋଗୁଁ ନୁହେଁ, ବରଂ ହିମବାହ ଭାଙ୍ଗିବା ଯୋଗୁ ହୋଇଥିବା ସୂଚନା ମିଳିଛି। ଏନେଇ ଆମେରିକା ଭୂତତ୍ତ୍ୱ ସର୍ଭେ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତିବ୍ଦତରେ ଏକ ହିମଖଣ୍ଡ ଭାଙ୍ଗିବା ପରେ ନେପାଳରେ ଏହି ପ୍ରଳୟଙ୍କର ବନ୍ୟା ହୋଇଥିବା ବିବେଚନା କରାଯାଉଛି। ପ୍ରାରମ୍ଭରେ, ନେପାଳ-ଚୀନ୍ ସୀମା ନିକଟରେ ରେକର୍ଡ ହୋଇଥିବା ୪.୪ ତୀବ୍ରତାଯୁକ୍ତ ଭୂମିକମ୍ପ ଏହାର କାରଣ ବୋଲି ବିବେଚନା କରାଯାଉଥିଲା। ତେବେ ଏହି ଫ୍ଲାସ୍ ବନ୍ୟା ସମ୍ପର୍କରେ ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ) ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ନେପାଳ-ଚୀନ୍ ସୀମା ନିକଟରେ ରେକର୍ଡ ହୋଇଥିବା ଏହି ଘଟଣା ପ୍ରକୃତରେ ଭୂମିକମ୍ପ ନୁହେଁ ବୋଲି ୟୁଏସଜିଏସ ସ୍ପଷ୍ଟ କରିଛି। ନେପାଳ ଚାରିପଟେ ଥିବା ୪୭ ହିମବାହ ହ୍ରଦ ମଧ୍ୟରୁ ୨୧ଟି ନେପାଳରେ ଥିବାବେଳେ ୨୫ଟି ସୀମା ଆରପାରି ତିବ୍ଦତରେ ରହିଛି। ଏସବୁ ହ୍ରଦଗୁଡ଼ିକ ନେପାଳକୁ ପ୍ରବାହିତ ନଦୀର ଉପର ମୁଣ୍ଡରେ ରହିଛନ୍ତି। ଏସବୁର ପାଣି ଦକ୍ଷିଣରେ ନେପାଳ ମୁହାଁ ହୋଇଥାଏ। ତେଣୁ, ଯଦି ଏହି ହ୍ରଦଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ଭାଙ୍ଗିଯାଏ, ତେବେ ତଳମୁଣ୍ଡର ଗ୍ରାମ, ସହର ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିରେ ଯଥେଷ୍ଟ କ୍ଷତି ଘଟିଥାଏ। ବୁଧବାର ନେପାଳ ରାସୁୱା ଜିଲ୍ଲାରେ ହଠାତ୍ ଭୟଙ୍କର ବନ୍ୟା ଆସିଥିଲା । ତୀବ୍ର ଗତିରେ ଆସିଥିବା ପାଣି ସହ ମାଟି, ପଥର ଏବଂ ବଡ଼ ବଡ଼ ବୋଲ୍ଡର ଭାସି ଆସିଥିଲା । ନେପାଳ ଜଳ ପ୍ରଳୟରେ ଏପର୍ଯ୍ୟନ୍ତ ନେପାଳ ବନ୍ୟାରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଶହ ଶହ ନିଖୋଜ ଅଛନ୍ତି। ୧୩୩ ଭାରତୀୟ ନିଖୋଜ ଥିବା ସୂଚନା ରହିଛି। ତିବ୍ଦତରୁ ପାଣି ମାଡ଼ି ଆସିଥିବାବେଳେ ପାୱାର ପ୍ରୋଜେକ୍ଟ ଓ ଡ୍ୟାମ ଭାସିଯାଇଛି। ବହୁ ଘର, ପୋଲ ଏବଂ କୋଠା ନଷ୍ଟ ହୋଇଯାଇଛି। ଯେଉଁଠାରେ ଘର ପୂର୍ବରୁ ଥିଲା, ଏବେ ସେଠାରେ ଆବର୍ଜନା ଗଦା ହୋଇଛି। ଏହି ବିପର୍ଯ୍ୟୟ ଯୋଗୁଁ କେତେ କ୍ଷତି ହୋଇଛି ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି। ଏହି ସମୟରେ, ନେପାଳ ଆଉ ଏକ ବିପଦର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆକଳନ କରାଯାଉଛି। ନେପାଳର ୪୭ଟି ହିମସ୍ରୋତ ହ୍ରଦ ଏବେ ଟାଇମ୍ ବମ୍ ପାଲଟିଛନ୍ତି। ଯେକୌଣସି ସମୟରେ ସେଗୁଡ଼ିକ ଫାଟିପାରେ। ଯଦି ଏପରି ହୁଏ, ତେବେ ଏହା ବିନାଶକାରୀ ହେବ। ନେପାଳର ହିମସ୍ରୋତ ହ୍ରଦରୁ ପ୍ରଳୟଙ୍କରୀ ବନ୍ୟା ଆସିବାର ସଙ୍କଟ ସୃଷ୍ଟି ହୋଇଛି। ନେପାଳର ଅନେକ ଅଞ୍ଚଳ ବିପଦରେ ଅଛନ୍ତି। ଅର୍ଥାତ୍ ଏହି ଅଞ୍ଚଳଗୁଡ଼ିକ ଯେକୌଣସି ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇପାରନ୍ତି। ନେପାଳର ପ୍ରମୁଖ ନଦୀ କୂଳରେ ଏସବୁ ହିମବାହ ହ୍ରଦ ରହିଛି। ଏଗୁଡ଼ିକୁ ସମ୍ଭାବ୍ୟ ବିପଦପୂର୍ଣ୍ଣ ହିମବାହ ହ୍ରଦ ଭାବରେ ଚିହ୍ନଟ କରାଯାଇଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଏହି ହ୍ରଦଗୁଡିକ ଭାଙ୍ଗିବା ଦ୍ଵାରା ହଠାତ୍ ଏବଂ ବିପୁଳ ପରିମାଣର ଜଳ ପ୍ରବାହ ହୋଇପାରେ। ଏହାକୁ ଗ୍ଲାସିୟର ଲେକ୍ ଆଉଟବ୍ରଷ୍ଟ ଫ୍ଲଡ୍(ଗ୍ଲୋଫ୍) କୁହାଯାଇଥାଏ। ଏହା ଯୋଗୁଁ ନେପାଳର ନଦୀ ଉପତ୍ୟକାରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି। ଏହି ଆକଳନ ଆନ୍ତର୍ଜାତୀୟ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ଇଣ୍ଟରନ୍ୟାନାଲ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ ଡେଭଲପମେଣ୍ଟ -ଆଇସିଆଇଏମଓଡି)ଏବଂ ନେପାଳ ସରକାରଙ୍କ ଦ୍ୱାରା କରାଯାଇଛି। ବିପର୍ୟ୍ୟୟ ପରିଚାଳନା ଅଧିକାରୀ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ରୁତ ଗତିରେ କୂଳ ବୃଦ୍ଧି କରି ପ୍ରସାରିତ ହେଉଥିବା କିଛି ହ୍ରଦକୁ ସର୍ବାଧିକ ବିପଦପୂର୍ଣ୍ଣ ଭାବରେ ବର୍ଗୀକୃତ କରିଛି। ଏଥିରେ ଏପରି ହ୍ରଦ ଅନ୍ତର୍ଭୁକ୍ତ ଯାହାର କୂଳ ବରଫ, କାଦୁଅ ଏବଂ ପଥରରେ ନିର୍ମିତ ପ୍ରାକୃତିକ କାନ୍ଥ ଦ୍ୱାରା ଘେରି ରହିଛି। ଯଦି ଏହି କାନ୍ଥଗୁଡ଼ିକ ଭାଙ୍ଗିଯାଏ, ତେବେ ହଠାତ୍ ଜଳପ୍ରଳୟ ତଳମୁହାଁ ହୋଇପାରେ। ବିପର୍ୟ୍ୟୟ ପରିଚାଳନା ଅଧିକାରୀ ଏବଂ ଜାତିସଂଘ ବିକାଶ କାର୍ୟ୍ୟକ୍ରମ ଅନୁଯାୟୀ, ଏହି ହ୍ରଦଗୁଡ଼ିକ ପ୍ରତି ବିପଦ ହ୍ରାସ କରିବା ଏବଂ ସେମାନଙ୍କର ଜଳସ୍ତର ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।