ଭୁବନେଶ୍ବର( ସତ୍ୟପାଠ ବ୍ୟୁରୋ): ଦକ୍ଷିଣରୁ ପଶ୍ଚିମ ଆଉ ଉପକୂଳ ସବୁଠି ବର୍ଷା ବିତ୍ପାତ। ପ୍ରବଳ ବର୍ଷାରେ କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ପୋଲ ଭୁଶୁଡ଼ିଲାଣି ଆଉ କେଉଁଠି ଭୂସ୍ଖଳନ। ଗଭୀର ଅବପାତ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହୋଇଛି। ୬ଟି ଜିଲ୍ଲା କୋରାପୁଟ, ଗଞ୍ଜାମ, ମାଲକାନଗିରି ସହ ଗଜପତି, ନବରଙ୍ଗପୁର, ରାୟଗଡ଼ାରେ ବିଶେଷ କ୍ଷତି ହୋଇଥିବା ଜଣାପଡ଼ିଛି। ଏ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହି ୬ ଜିଲ୍ଲାର ୩୭ ବ୍ଲକର ୧୨୭ଟି ପଞ୍ଚାୟତରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ମାଲକାନଗିରିରୁ ଜଗତସିଂହପୁର, କେନ୍ଦୁଝର ଯାଏଁ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ଅଶାନ୍ତ ସମୁଦ୍ର ତାର କରାଳ ରୂପ ଦେଖାଇଲାଣି। ପୁଣି କେଉଁଠି ପୋଲ ଉପରେ ଚାଲୁଛି ବର୍ଷାଜଳ। ମାଲକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଛି। ଘାଟିରୁ ମାଟି ଅତଡା ଖସିବାରୁ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ମାଟି ପଡ଼ି ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ରାସ୍ତା ସଫା କାମ ଆରମ୍ଭ ହୋଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଚିତ୍ରକୋଣ୍ଡା ଘାଟିକୁ ମଧ୍ୟ ବନ୍ଦ ରଖାଯାଇଛି । ଘାଟିର ଉଭୟ ପାର୍ଶ୍ୱରେ ପ୍ରଶାସନ ପକ୍ଷରୁ ଯାତାୟାତ ଉପରେ କଟକଣା ଲଗାଯାଇଛି । ରାୟଗଡ଼ା ଜିଲ୍ଲାରେ ପ୍ରବଳ ଯୋଗୁ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହେଲେ ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ। କୌଣସି ଅପ୍ରିତିକର ପରିସ୍ଥିତି ପାଇଁ ଓଡ୍ରାଫ ମଧ୍ୟ ସଜାଗ ରହିଛି। ଗଞ୍ଜାମ ପୁରୁଷୋତ୍ତମପୁର ନିକଟସ୍ଥ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ଲଗାଣ ବର୍ଷା ଯୋଗୁଁ ପୁଣି ପଥର ଓ ମାଟି ଧସିଛି । ଏହା ଦ୍ୱିତୀୟ ଥର ପଥର ଧସିଥିବା ବେଳେ ରାସ୍ତା ନିକଟରେ ପଥର ଓ ମାଟି ଜମା ହୋଇଥିଲା । ଖବର ପାଇ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସେପଟେ ଜଗତସିଂହପୁର ଶିଆଳି ଓ ରାମତରା ନିକଟରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ସମୁଦ୍ର ଜୁଆର କୂଳ ଲଙ୍ଘିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି ।
