ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ଭାରତ-ଚୀନ୍ ମଧ୍ୟରେ ସୀମା ଲାଗି ରହିଥିବାବେଳେ ଏ ନେଇ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି । ସୀମା ବିବାଦର ସମାଧାନ ପାଇଁ ସୋମବାର ଚୀନ୍ ଗସ୍ତ କରିବେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ । ବେଜିଂରେ ଚୀନ୍‌ର ବିଦେଶ ମନ୍ତ୍ରୀ ତଥା ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ ୱାଙ୍ଗ୍ ୟିଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

ଅଗଷ୍ଟ ୨୫ ତାରିଖରେ ଦୁଇ ଦେଶର ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍‌ଙ୍କ ମଧ୍ୟରେ ସୀମା ପ୍ରସଙ୍ଗରେ ୨୫ତମ ପର୍ଯ୍ୟାୟ ଆଲୋଚନା ହେବ । ଏଥିରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଶାନ୍ତି ଓ ସ୍ଥିରତା ସହ ସୀମା ବିବାଦର ସମାଧାନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି । ଭାରତ-ଚୀନ୍ ମଧ୍ୟରେ ପ୍ରାୟ ୩,୪୮୮ କିଲୋମିଟର ଲମ୍ବା ସୀମାକୁ ନେଇ ଦୀର୍ଘଦିନ ଧରି ବିବାଦ ରହିଛି । ଏଲଏସିର ବିଭିନ୍ନ ଅଞ୍ଚଳକୁ ନେଇ ଦୁଇ ଦେଶର ଦାବି ଭିନ୍ନ ଥିବାରୁ ସମୟ ସମୟରେ ସୀମାରେ ଉତ୍ତେଜନା ଦେଖାଦେଇଛି । ତେଣୁ ଆଗାମୀ ଦିନରେ ସୀମାରେ ଶାନ୍ତି ବଜାୟ ରଖିବା ଏହି ବୈଠକର ଏକ ପ୍ରମୁଖ ଏଜେଣ୍ଡା ହୋଇପାରେ ।

ଭାରତ-ଚୀନ୍ ସୀମା ବିବାଦର ରାଜନୈତିକ ସମାଧାନ ପାଇଁ ୨୦୦୩ରେ ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହି ମଞ୍ଚରେ ଦୁଇ ଦେଶର ବରିଷ୍ଠ ପ୍ରତିନିଧି ସିଧାସଳଖ ଭାବେ ସୀମା ସମ୍ପର୍କିତ ଜଟିଳ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି । ଅଜିତ ଡୋଭାଲ ଓ ୱାଙ୍ଗ୍ ୟି ଦୁଇ ଦେଶର ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ ଭାବେ ସୀମା ପ୍ରସଙ୍ଗରେ ଆଲୋଚନା କରିବେ । ସୀମା ବିବାଦ ସହ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଏବଂ ସୀମାରେ ସ୍ଥିରତା ଫେରାଇବା ନେଇ ମଧ୍ୟ ଏହି ବୈଠକରେ ମତ ବିନିମୟ ହୋଇପାରେ । ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ତିକ୍ତତା ପରେ ଏହି ଆଲୋଚନାକୁ ଭାରତ-ଚୀନ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି।