ମମତା ପୁଣି ଦେଖାଇଲେ ପୁତୁରା ପ୍ରେମ, ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ଦେଲେ ନିଯୁକ୍ତି

ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିଜ ପୁତୁରାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ଏଥିସହ ଉଭୟଙ୍କ ମଧ୍ୟରେ ଥିବା କନ୍ଦଳ ଉପରେ ପୂର୍ନେଚ୍ଛେଦ ପକାଇଛନ୍ତି । ବିରୋଧୀଙ୍କ ପାଟି ଚୁପ୍ କରିଦେଇଛନ୍ତି ମମତା । ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପୁଣିଥରେ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ପାର୍ଟିର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗତ ସପ୍ତାହରେ ମଧ୍ୟ ମମତା ପାର୍ଟିର ରାଷ୍ଟ୍ରୀୟ ପଦାଧିକାରୀଙ୍କ କମିଟିକୁ ଭାଙ୍ଗି ଦେଇଥିଲେ, ଯେଉଁଥିରେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ସାମିଲ୍ ଥିଲେ। ଏହା ପରେ ମମତା ଏକ ୨୦ ଜଣିଆ ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରୀ କମିଟି ଗଠନ କରିଥିଲେ। ମମତାଙ୍କ ଏଭଳି ପଦକ୍ଷେପ ଏପରି ସମୟରେ ନିଆଯାଇଥିଲା, ଯେତେବେଳେ ପାର୍ଟିରେ ଅସନ୍ତୋଷର ଗୁଜବ ତେଜିବାରେ ଲାଗିଥିଲା। ହେଲେ ମମତା ସବୁ ଗୁଜବକୁ ଭୁଲ୍ ପ୍ରମାଣିତ କରି ଅଭିଜ୍ଞ ନେତାଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି, ଯେଉଁଥିରେ ଅଭିଷେକଙ୍କୁ ସାମିଲ୍ କରାଯାଇଛି।

ନୂଆ ରାଷ୍ଟ୍ରୀୟ କମିଟିରେ ଯଶୱନ୍ତ ସିହ୍ନା, ସୁବ୍ରତ ବକ୍ସି ଓ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଛି। ସେହିପରି ଅମିତ୍ ମିତ୍ର, ପାର୍ଥ ଚାଟାର୍ଜୀ, ସୁଦୀପ ବଙ୍ଗୋପାଧ୍ୟାୟ ଅନୁବ୍ରତ ମଣ୍ଡଳ, ଅରୂପ ବିଶ୍ୱାସ, ଫିରହାଦ ହାକିମଙ୍କୁ ମଧ୍ୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ମିଳିଛି। ଅରୂପ ବିଶ୍ୱାସ ପାର୍ଟିର କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେହିପରି ଶୁଖେନ୍ଦୁ ଶେଖର ରୟ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଓ ରାଜ୍ୟସଭା ମୁଖ୍ୟପାତ୍ର ହୋଇଛନ୍ତି। କାକୋଲି ଘୋଷ ଦାସ୍ତିଦାର ଲୋକସଭା ମୁଖପାତ୍ର ଓ ସାଂସଦ ମହୁଆ ମୋଇତ୍ରା ତାଙ୍କୁ ଆସିଷ୍ଟ କରିବେ ।

Related Posts