ଆସନ୍ତାକାଲି ଠାରୁ ରାଜ୍ୟର ଏହି ସବୁ ଜିଲ୍ଲାରେ ହେବ ବର୍ଷା: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆସନ୍ତାକାଲି ଠାରୁ ଆରମ୍ଭ ହୋଇ 3 ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏଥିସହ କୁହୁଡି ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି, ଆଗାମୀ ୨୪ ଘଣ୍ଟା ଭିତରେ କନ୍ଧମାଳ, ନୟାଗଡ଼, ଢ଼େଙ୍କାନାଳ, କଟକ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ହାଲ୍‌କା ବର୍ଷା ହେବ, ଶନିବାର ସକାଳେ ଜଗତସିଂହପୁର, କଟକ, କନ୍ଧମାଳ, ଅନୁଗୋଳ ଓ ଢ଼େଙ୍କାନାଳ , ସେହିପରି ୧୯ ତାରିଖ ସକାଳ ସାଢ଼େ ଆଠଟାରୁ ୨୦ ତାରିଖ ସକାଳ ସାଢ଼େ ଆଠଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଠିକ୍‌ ସେମିତି ୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଏହା ପରେ ୨୧ ଓ ୨୨ ତାରିଖରେ ପାଗ ଶୁଖିଲା ରହିବ ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇଛି। ମୁଖ୍ୟତଃ ଯାଜପୁର, କଟକ, ଭଦ୍ରକ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହୋଇଛି।

Related Posts