ଭୁବନେଶ୍ବର,  (ସତ୍ୟପାଠ ବ୍ୟୁରୋ): ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକ। ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଜୀବନଧାରଣର ପ୍ରତ୍ୟେକଟି ଜରୁରୀ ଜିନିଷର ପରିବର୍ତ୍ତିତ ମୂଲ୍ୟ ସାଧାରଣ ପରିବାରର ମାସିକ ବଜେଟକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି । ଚିନିଠାରୁ ଆରମ୍ଭ କରି ତେଲ ସବୁ ମହଙ୍ଗା ହୋଇଛି। ସ୍ବଳ୍ପ ଆୟ, ନିର୍ଦ୍ଧିଷ୍ଟ ବେତନରେ ଚଳୁଥିବା ପରିବାର ଗୁଡ଼ିକ ପାଇଁ ମାସିକ ଘରୋଇ ବଜେଟ ପ୍ରସ୍ତୁତ କରିବା କଷ୍ଟକର ହୋଇପଡ଼ିଛି। ଡାଲି, ତେଲ, ପନିପରିବା ଅତ୍ୟାବଶକୀୟ ଖାଦ୍ୟ ବସ୍ତୁ ଦର ଆକାଶ ଛୁଆଁ ହୋଇଛି । ଦିନକୁ ଦିନ ପରିବାରର ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ପିଲାଙ୍କ ପାଠପଢ଼ା ଖର୍ଚ୍ଚ, ଚିକିତ୍ସା ସହ ହାଣ୍ଡିଶାଳ ଉପରେ ମହଙ୍ଗା ମଧ୍ୟବିତ ପରିବାରକୁ ବାଧିଛି। ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷ ବୃଦ୍ଧି ପାଇବା ଫଳରେ ମଧ୍ୟବିତ୍ତଙ୍କ ହାଣ୍ଡିଶାଳ ଉପରେ ଏହାର ସିଧାସଳଖ ଝଟକା ଲାଗିଛି । ଦରବୃଦ୍ଧି ଏହି ଚାପ କ୍ରମଶଃ ଆର୍ଥିକ ଅନଗ୍ରସର ଆଡ଼ ଠେଲି ଦେଉଛି। ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ଗ୍ୟାସ୍‌ର ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ ଯାତାୟାତ ଏବଂ ପରିବହନ ଖର୍ଚ୍ଚ ବଢ଼ିଯାଇଛି । ଏହା ସମସ୍ତ ପ୍ରକାରର ସେବା ଓ ସାମଗ୍ରୀର ଦାମ୍ ବଢ଼ାଇବାରେ ମୁଖ୍ୟ କାରଣ ସାଜିଛି ।