ସତ୍ୟପାଠ ବ୍ୟୁରୋ: ତାମିଲନାଡୁର ଥେନି ଜିଲ୍ଲା ଜେଲ୍‌ରୁ ୧୭ ଜଣ କଏଦୀ ଫେରାର ହେବା ଘଟଣା ପରେ ରାଜ୍ୟର ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ଏହି ଘଟଣାର ତଦନ୍ତ ଏବଂ ରାଜ୍ୟର ସମସ୍ତ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ତାମିଲନାଡୁ ସରକାର ଏକ ଉଚ୍ଚସ୍ତରୀୟ ୩ ଜଣିଆ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ତଥା ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓଡ଼ିଆ ପୁଅ ଜଳଦ କୁମାର ତ୍ରିପାଠୀ ଏହି କମିଟିର ଅଧ୍ୟକ୍ଷ ରହିବେ।

କମିଟିର ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଜେଲ୍ ଓ ସଂଶୋଧନାତ୍ମକ ସେବା ବିଭାଗର ମୁଖ୍ୟ କେ. ଶଙ୍କର ଏବଂ ଅବସରପ୍ରାପ୍ତ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଏସ୍. ରାଜେନ୍ଦ୍ରନ୍। ଜେଲ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟପ୍ରଣାଳୀ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଏବଂ କର୍ମଚାରୀଙ୍କ ନିଯୁକ୍ତି ବ୍ୟବସ୍ଥାର ଯାଞ୍ଚ କରି ଏହି କମିଟି ସରକାରଙ୍କୁ ସୁପାରିସ୍ ଦେବ। ଦେଶ ଓ ବିଦେଶର ଜେଲ୍‌ଗୁଡ଼ିକରେ ଅନୁସରଣ କରାଯାଉଥିବା ଉତ୍ତମ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧ୍ୟୟନ କରିବ କମିଟି।

ସୂଚନା ଅନୁସାରେ, ଗତ ଅକ୍ଟୋବର ୨୬ ତାରିଖ ରାତିରେ ଥେନି ଜିଲ୍ଲାର ଥେକ୍କାମପଟ୍ଟି ସବ୍‌ଜେଲ୍‌ରୁ ୧୭ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିଲେ। ଜେଲ୍‌ରେ ଜଣେ କଏଦୀଙ୍କୁ ଅପସ୍ମାର ରୋଗ ହୋଇଥିବା ନେଇ ଅନ୍ୟ କଏଦୀମାନେ ହୋହଲ୍ଲା କରିଥିଲେ। ତାଙ୍କୁ ସହାୟତା କରିବାକୁ ଜେଲ୍ କର୍ମଚାରୀମାନେ କୋଠରୀ ଭିତରକୁ ଯିବା ପରେ କଏଦୀମାନେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରେ ଚାବି ହାତେଇ ଜେଲ୍‌ର ମୁଖ୍ୟ ଫାଟକ ଦେଇ ୧୭ ଜଣ ଫେରାର ହୋଇଯାଇଥିଲେ।

ଏହି ଘଟଣା ପରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଥିଲା। ପ୍ରାୟ ୪୩ ଘଣ୍ଟା ମଧ୍ୟରେ ସମସ୍ତ ୧୭ ଜଣଙ୍କୁ ପୁଣି ଧରାଯାଇଥିବା ରିପୋର୍ଟରେ କୁହାଯାଇଛି। ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୯ ଜଣ ଜେଲ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଜେଲ୍ ବିଭାଗର ତତ୍କାଳୀନ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ବଦଳି କରାଯାଇଥିଲା।

ଏହି ଘଟଣାରେ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଥେନି ଜିଲ୍ଲା ଜେଲ୍‌ର କ୍ଷମତା ୨୦୦ ଜଣ କଏଦୀଙ୍କ ପାଇଁ ଥିବାବେଳେ ଘଟଣା ଦିନ ସେଠାରେ ୩୩୪ ଜଣ କଏଦୀ ରହୁଥିଲେ। ଅର୍ଥାତ୍ ନିର୍ଦ୍ଧାରିତ କ୍ଷମତାଠାରୁ ୧୩୪ ଜଣ ଅଧିକ କଏଦୀ ରହୁଥିଲେ। ଏହା ଜେଲ୍‌ର ଭିତ୍ତିଭୂମି, କର୍ମଚାରୀ ଅଭାବ ଓ ସୁରକ୍ଷା ପରିଚାଳନାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଜେଲ୍‌ଗୁଡ଼ିକର ସୁରକ୍ଷାକୁ ଯୁଦ୍ଧକାଳୀନ ଭିତ୍ତିରେ ମଜବୁତ କରିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ନୂଆ କମିଟିର ତଦନ୍ତ ଓ ସୁପାରିସ୍ ପରେ ତାମିଲନାଡୁର ଜେଲ୍ ସୁରକ୍ଷା ବ୍ୟବସ୍ଥାରେ କି ପରିବର୍ତ୍ତନ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।