ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ପୁଣି ଚଳଚଞ୍ଚଳ ହୋଇ ଉଠିଛି । ଭାରତୀୟ ରାଜନୀତିର ବର୍ଷିଆନ୍‌ ନେତା ଶରଦ ପାୱାରଙ୍କ ଏନ୍‌ସିପି (ଏସ୍‌ପି) ଓ କଂଗ୍ରେସ ମଧ୍ୟରେ ମିଶ୍ରଣ ନେଇ ପ୍ରସ୍ତୁତି ଚାଲିଛି । ତେବେ ଏହି ମିଶ୍ରଣକୁ ନେଇ ଦୁଇ ଦଳ ପକ୍ଷରୁ ଔପଚାରିକ ଭାବେ କିଛି କୁହାଯାଇନାହିଁ। ଦୁଇ ଦଳ ଭିତରେ ଘନ ଘନ ଆଲୋଚନା ଓ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, କଂଗ୍ରେସ ଓ ଏନ୍‌ସିପି (ଏସ୍‌ପି) ମିଶ୍ରଣ ପାଇଁ ଚର୍ଚ୍ଚା କରୁଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ବର୍ତ୍ତମାନ ମିଶ୍ରଣ କେବଳ ମହାରାଷ୍ଟ୍ରରେ ସୀମିତ ରହିବ ।  ରାଷ୍ଟ୍ରୀୟ ସ୍ତରରେ ପରେ ଦିଲ୍ଲୀରେ ଏ ସମ୍ପର୍କରେ ଦଳର ମୁଖ୍ୟମାନେ ଘୋଷଣା କରିବେ । ସୂଚନାଯୋଗ୍ୟ, ୧୯୯୯ରେ ଶରଦ ପାୱାର କଂଗ୍ରେସରୁ ଅଲଗା ହୋଇ ଏନ୍‌ସିପି ଗଠନ କରିଥିଲେ । ଯଦି ଦୁଇ ଦଳର ମିଶ୍ରଣ ଘଟେ ତେବେ ୨୭ ବର୍ଷ ପରେ ପାୱାର କଂଗ୍ରେସକୁ ଫେରିବେ। ୨୦୨୩ରେ ଏନ୍‌ସିପିରେ ବିଭାଜନ ହୋଇଥିଲା ଓ ଅଜିତ ପାୱାରଙ୍କ ଦଳକୁ ମୁଖ୍ୟ ଦଳ ଭାବେ ପରିଚୟ ମିଳିଥିଲା। ତେବେ କଂଗ୍ରେସ ସହିତ ମିଶ୍ରଣକୁ ନେଇ ଏନ୍‌ସିପି (ଏସ୍‌ପି)ର ନେତାଙ୍କ ଭିତରେ ମତଭେଦ ମଧ୍ୟ ଦେଖାଯାଇଛି।