ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ): ବିଏମସି ପକ୍ଷରୁ ଖଣ୍ଡଗିରିରେ ଆୟୋଜିତ ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଉ କହିଛନ୍ତି, ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଦରକାର। ଏ ସହର ଆମର ଏବଂ ଏହାର ସ୍ୱଚ୍ଛତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ବର୍ତ୍ତମାନ ଦେଶର ସ୍ୱଚ୍ଛତା ରାଙ୍କିଙ୍ଗରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ଯଦି ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇବା, ତେବେ ଆମ ସହର ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ହୋଇ ପ୍ରଥମ ସ୍ଥାନ ହାସଲ କରିବ। ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ସଚେତନ ହେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଯେପରି ନିଜ ଘର, ବାଡ଼ି, ଦାଣ୍ଡ ଓ ଅଗଣା ସଫା ରଖୁଛୁ, ସେହିପରି ଆମ ଦୃଷ୍ଟିକୋଣକୁ ଆଉ ଟିକିଏ ପ୍ରସାରିତ କରିବା ଆବଶ୍ୟକ। ଘର ଆଗ ରାସ୍ତା ଓ ନିଜ କଲୋନୀକୁ ସଫା ରଖିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟରେ ଯୋଡ଼ିହୋଇ ଘରର ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ନିୟମିତ ସଫେଇ ଗାଡ଼ିକୁ ଦେବା ଏବଂ ରାସ୍ତାରେ ଅଳିଆ ନ ଫିଙ୍ଗି ଅନ୍ୟମାନଙ୍କୁ ମଧ୍ୟ ବାରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଦେଶର ସ୍ୱାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ । ମାତ୍ର ୨୦୧୪ ମସିହାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀଜୀଙ୍କ ଏହି ସ୍ୱପ୍ନର ସଫଳ ରୂପାୟନ କରି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ମାଧ୍ୟମରେ ଏହାକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଆଜିର ଏହି ସ୍ୱତନ୍ତ୍ର ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ କାର୍ଯ୍ୟକ୍ରମ ସମଗ୍ର ସମାଜକୁ ସ୍ୱଚ୍ଛତା ସହିତ ଯୋଡ଼ିବାର ଏକ ଅଭିନବ ଓ ପ୍ରଶଂସନୀୟ ଉଦ୍ୟମ। ଏହାସହ ଦେଶର ୫୦ଟି ‘ମଡେଲ ସାନିଟେସନ ସିଟି’ ଭାବେ ବିକଶିତ ହେବା ପାଇଁ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଓ ପୁରୀ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଉଭୟ ମହାନଗର ନିଗମର କର୍ତ୍ତୃପକ୍ଷ, ଅଧିକାରୀ ଏବଂ ବିଶେଷ ଭାବେ ସଫେଇ ମିତ୍ରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ବାବୁ ସିଂ, ବିଏମସି ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ,  ବିଏମସି କମିଶନର ଚଞ୍ଚଲ ରାଣା, କର୍ପୋରେଟର, ବିଏମସି କର୍ମଚାରୀ ସମେତ ସଫେଇ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।