ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ରକ୍ତହୀନତା ମୁକ୍ତ ଭାରତ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ୭x୭x୭ ରଣନୀତି । ଆଜି ମଧ୍ୟ ଦେଶର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜମାନଙ୍କ ମଧ୍ୟରୁ ରକ୍ତହୀନତା ଗୋଟିଏ। ଏହାର ପ୍ରଭାବ କେବଳ ମହିଳାମାନଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଗର୍ଭବତୀ ମହିଳା, ଶିଶୁ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। କେନ୍ଦ୍ର ସରକାର ଦେଶକୁ ରକ୍ତହୀନତା ମୁକ୍ତ କରିବା ପାଇଁ ନିଜର ରଣନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ମତରେ, କେବଳ ଆଇରନ୍ ଟାବଲେଟ୍ ବଣ୍ଟନ କରିଦେଲେ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିହେବ ନାହିଁ। ସେଥିପାଇଁ ବର୍ତ୍ତମାନ ରକ୍ତହୀନତାର ସମୟୋପଯୋଗୀ ଯାଞ୍ଚ, ଉପଯୁକ୍ତ ଚିକିତ୍ସା, ସନ୍ତୁଳିତ ପୌଷ୍ଟିକ ଖାଦ୍ୟ ଏବଂ ଡିଜିଟାଲ୍ ଟ୍ରାକିଂ (ନିରୀକ୍ଷଣ)କୁ ମଧ୍ୟ ଏହି ଅଭିଯାନର ପ୍ରମୁଖ ଅଂଶ କରାଯାଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନାଡ୍ଡା ରକ୍ତହୀନତା ମୁକ୍ତ ଭାରତ ଅଭିଯାନର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ୍ ଅନୁସାରେ, ପୁରୁଣା ୬x୬x୬ ମଡେଲ୍ ପରିବର୍ତ୍ତେ ବର୍ତ୍ତମାନ ୭x୭x୭ ରଣନୀତି କାର୍ଯ୍ୟକାରୀ କରାଯିବ। ଏହି ନୂଆ ରଣନୀତିର ଲକ୍ଷ୍ୟ ହେଉଛି ରକ୍ତହୀନତାର ଶୀଘ୍ର ଚିହ୍ନଟ, ସମୟୋପଯୋଗୀ ଚିକିତ୍ସା ନିଶ୍ଚିତ କରିବା ଏବଂ ରୋଗୀଙ୍କ ସ୍ୱାସ୍ଥ୍ୟର ନିରନ୍ତର ଡିଜିଟାଲ୍ ନିରୀକ୍ଷଣ କରିବା। ଏହି ନୂଆ ରଣନୀତିର ସବୁଠାରୁ ବଡ଼ ବିଶେଷତା ହେଉଛି, ପ୍ରଥମ ଥର ପାଇଁ କମ୍ ଓଜନର ନବଜାତ ଶିଶୁ (୦ରୁ ୬ ମାସ ବୟସ)ଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଛି। ସରକାରଙ୍କ ମତରେ, ଯଦି ଜନ୍ମରୁ ହିଁ ରକ୍ତହୀନତା ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଏ, ତେବେ ପରବର୍ତ୍ତୀ ସମୟରେ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ଗୁରୁତର ପ୍ରଭାବକୁ ବହୁ ପରିମାଣରେ କମାଯାଇପାରିବ। ସରକାର ‘ଇଟିଂ ରାଇଟ୍’ ପଦକ୍ଷେପକୁ ମଧ୍ୟ ରକ୍ତହୀନତା ମୁକ୍ତ ଭାରତ ଅଭିଯାନ ସହ ଯୋଡ଼ିଛନ୍ତି। ଏହା ଅଧୀନରେ ଲୋକଙ୍କୁ ଆଇରନ୍‌ ସମୃଦ୍ଧ ଏବଂ ସନ୍ତୁଳିତ ଖାଦ୍ୟକୁ ଦୈନନ୍ଦିନ ଜୀବନଶୈଳୀର ଅଂଶ କରିବା ପାଇଁ ସଚେତନ କରାଯିବ। କେବଳ ଔଷଧ ଉପରେ ନିର୍ଭର କରିବା ପରିବର୍ତ୍ତେ, ସଠିକ୍ ପୋଷଣ ମାଧ୍ୟମରେ ଏନିମିଆ ପ୍ରତିରୋଧ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ। ନୂଆ ଗାଇଡ୍‌ଲାଇନ୍‌ରେ ପୂର୍ବରୁ ପ୍ରଚଳିତ ଟି-୩ ମଡେଲ୍ ଯାହା, ଟେଷ୍ଟ, ଟ୍ରିଟମେଣ୍ଟ, ଟକିଂକୁ ବଦଳାଇ ବଦଳାଇ ଟି-୪ ମଡେଲ୍ କରାଯାଇଛି। ଏଥିରେ ‘ଟ୍ରାକ’ ତଥା ନିରନ୍ତର ନିରୀକ୍ଷଣକୁ ସାମିଲ କରାଯାଇଛି। ଅର୍ଥାତ୍, କୌଣସି ବ୍ୟକ୍ତିଙ୍କଠାରେ ଏନିମିଆ ଚିହ୍ନଟ ହେବା ପରେ କେବଳ ଚିକିତ୍ସା ଦିଆଯିବ ନାହିଁ, ବରଂ ଚିକିତ୍ସାର ପ୍ରଭାବ ପଡ଼ୁଛି କି ନାହିଁ, ରୋଗୀ ସୁସ୍ଥ ହେଉଛନ୍ତି କି ନାହିଁ ଏବଂ ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ଚିକିତ୍ସା ଠିକ୍ ସମୟରେ ମିଳୁଛି କି ନାହିଁ, ତାହା ମଧ୍ୟ ଡିଜିଟାଲ୍ ଭାବେ ନିରନ୍ତର ନଜରରେ ରଖାଯିବ। ଗୁରୁତର ଏନିମିଆରେ ପୀଡ଼ିତ ଏବଂ ଆଇରନ୍ ଟାବଲେଟ୍‌ରେ ସୁଧାର ନ ଆସୁଥିବା ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ବର୍ତ୍ତମାନ ଶିରା ମାଧ୍ୟମରେ ଆଇରନ୍ ଦେବା ବ୍ୟବସ୍ଥାକୁ ମଧ୍ୟ ଜାତୀୟ ଚିକିତ୍ସା ପ୍ରୋଟୋକଲରେ ସାମିଲ କରାଯାଇଛି। ଏଥିପାଇଁ ଫେରିକ୍ କାର୍ବୋକ୍ସିମାଲ୍ଟୋଜ୍ ଏବଂ ଆଇରନ୍ ସୁକ୍ରୋଜ୍ ପରି ଔଷଧ ବ୍ୟବହାର କରାଯିବ। ଏହି ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସରକାର ଡିଜିଟାଲ୍ ମନିଟରିଂ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରିଛନ୍ତି। ଗର୍ଭବତୀ ମହିଳାଙ୍କ ହିମୋଗ୍ଲୋବିନ୍ ପରୀକ୍ଷାର ରେକର୍ଡ ଜନନୀ ପୋର୍ଟାଲରେ ସଂରକ୍ଷିତ ହେବ। ସେହିପରି, ଶିଶୁମାନଙ୍କ ସମ୍ବନ୍ଧୀୟ ତଥ୍ୟ ଜାତୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ୟୁ-ୱିନ୍ ପୋର୍ଟାଲରେ ଅପଲୋଡ୍ କରାଯିବ। ପରବର୍ତ୍ତୀ ସମୟରେ ଏହି ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମକୁ ଏକୀକୃତ ‘ଏନିମିଆ ମୁକ୍ତ ଭାରତ’ ପୋର୍ଟାଲ୍ ସହ ସଂଯୋଗ କରାଯିବ। ଏହାଦ୍ୱାରା ସରକାର କେଉଁ ଅଞ୍ଚଳରେ ଏନିମିଆର ସ୍ଥିତି କିପରି ରହିଛି ଏବଂ କେଉଁ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ଚିକିତ୍ସା କିମ୍ବା ପୋଷଣ ସେବା ପହଞ୍ଚିପାରିନାହିଁ, ତାହା ସହଜରେ ଚିହ୍ନଟ କରିପାରିବେ।