ଭାରତର ପ୍ରଥମ ଓମିକ୍ରନ୍ ମୃତ୍ୟୁକୁ ସୁନିଶ୍ଚିତ କଲେ କେନ୍ଦ୍ର ସରକାର | ରାଜସ୍ଥାନ ଉଦୟପୁରରେ ମୃତ୍ୟୁ ବରଣ କରିଥିବା କରୋନା ଆକ୍ରାନ୍ତ ବ୍ୟକ୍ତି ଭାରତର ପ୍ରଥମ ଓମିକ୍ରନ୍‌ କରୋନା ଭାଇରସ୍‌ ଭେରିଏଣ୍ଟ୍‌ଜନିତ ମୃତ୍ୟୁ ବୋଲି ବୁଧବାର ଦିନ କେନ୍ଦ୍ର ସରକାର ସୁନିଶ୍ଚିତ କରିଛନ୍ତି। ଉପରୋକ୍ତ ୭୨ ବର୍ଷିୟ ବ୍ୟକ୍ତିଙ୍କ ନମୁନାଗୁଡ଼ିକରେ ‘ଓମିକ୍ରନ୍‌ ଷ୍ଟ୍ରେନ୍‌’ ଉପସ୍ଥିତି ଥିବା ଜଣାପଡ଼ିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ରାଜସ୍ଥାନରେ ହୋଇଥିବା ମୃତ୍ୟୁକୁ ଭାରତରେ ପ୍ରଥମ ‘ଓମିକ୍ରନ୍‌ ମୃତ୍ୟୁ’ ଭାବେ ଗଣନା କରାଯାଇଥିବା କଥା ସରକାର ସୁନିଶ୍ଚିତ କରିଛନ୍ତି। ଆମେ ଏହାକୁ ଭାରତରେ ପ୍ରଥମ ଓମିକ୍ରନ୍‌ଜନିତ ମୃତ୍ୟୁ ବୋଲି କହିପାରିବା।

ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଗତ ୧୭ ବର୍ଷ ଧରି ଉକ୍ତ ବ୍ୟକ୍ତିଜଣକ ମଧୁମେହଦ୍ବାରା ଆକ୍ରାନ୍ତ ଥିଲେ ଏବଂ କୋଭିଡ୍-୧୯ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସାଂଘାତିକ ହୋଇଯାଇଥିଲା। ସେ ‘ଓମିକ୍ରନ୍ ପଜିଟିଭ୍’ ବୋଲି ମୃତ୍ୟୁ ପରେ ଜଣାପଡ଼ିଲା। ଡିସେମ୍ବର ୩୧ ତାରିଖ ଦିନ ଉଦୟପୁର ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ସୂଚନା ଅନୁସାରେ, ଦେଶରେ ଓମିକ୍ରନ୍‌ ସଂଖ୍ୟା ଥିଲା ୨,୧୩୫। ସେଥିରୁ ଏଯାବତ୍‌ ପ୍ରାୟ ୮୨୮ ରୋଗୀ ସୁସ୍ଥ ହୋଇଛନ୍ତି।