ରେଳଧାରଣା ପାରିହେଉଥିବା ବେଳେ ଟ୍ରେନ୍‌ ଧକ୍କାରେ ଚାଲିଗଲା ଦୁଇ ହାତୀଙ୍କ ଜୀବନ

ସତ୍ୟପାଠ 27/12 କଟକ: ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ରେଞ୍ଜ୍ ଅଧୀନସ୍ଥ ଭୁଷଣ୍ଡପୁର ରେଳଷ୍ଟେସନ୍‌ଠୁ ଅଳ୍ପ ଦୂର କନ୍ତଳବାଇ ରେଳଫାଟକ ନିକଟରେ ରେଳଧାରଣା ପାରିହେଉଥିବା ବେଳେ ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ଆଠଟା ବେଳେ ଭୁଷଣ୍ଡପୁର ଜଙ୍ଗଲରେ ରହୁଥିବା ୧୯ ଟିକିଆ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗ୍ରାମ ଆଡ଼କୁ ଗଡ଼ିଥିଲେ। ଟାଙ୍ଗୀ ରେଞ୍ଜ୍‌ ଅଧୀନସ୍ଥ ଭୁଷଣ୍ଡପୁର ଷ୍ଟେସନର ଅଳ୍ପ କିଛି ଦୂରରେ ଥିବା କନ୍ତଳବାଇ ରେଳ ଫାଟକ ଦେଇ ଏହି ହାତୀପଲ ରେଳଧାରଣା ଅତିକ୍ରମ କରୁଥିବା ବେଳେ ବିଶାଖାପାଟଣା ଯାଉଥିବା ଏକ ମାଲ୍‌ଗାଡ଼ି ଦନ୍ତାହାତୀକୁ ଧକ୍ଖା ଦେଇଥିଲା। ଟ୍ରେନ୍‌ ଧକ୍‌କାରେ ଗୁରୁତର ଆହତ ହୋଇ ହାତୀଟି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ଏହି ଖବର ପାଇ ଟାଙ୍ଗୀ ବନବିଭାଗ ତଥା ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଟ୍ରେନ୍‌ ଧକ୍‌କାରେ କେବଳ ଗୋଟିଏ ହାତୀ ଆହତ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ତେବେ ରବିବାର ଭୋର୍‌ ସମୟରେ ଆହତ ହାତୀର ଚିକିତ୍ସା କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ତନାଘନା କରାଯାଉଥିବା ବେଳେ କନ୍ତଳବାଇ ବିଲ ଗହୀରରେ ଗୋଟିଏ ହାତୀ ମରି ପଡ଼ିଥିବା ଖବର ବନ ବିଭାଗକୁ ମିଳିଥିଲା। ଅନ୍ୟପଟେ ଗୋଟିଏ ହାତୀ ଛୁଆ ଉଗ୍ରତାରା ଜଙ୍ଗଲରେ ମରିପଡ଼ିଥିବା ଖବର ମଧ୍ୟ ବନ ବିଭାଗକୁ ମିଳିଥିଲା।

ରବିବାର ଦିନ ଏହି ଦୁଇଟି ହାତୀର ଶବ ବ୍ୟବଛେଦ କରାଯିବା ପରେ ଗୋଟିଏ ହାତୀକୁ ଦୁର୍ଘଟଣା ଘଟିଥିବା ରେଳଷ୍ଟେସନ ପାଖରେ ଓ ଅନ୍ୟ ହାତୀକୁ ଭୁଷଣ୍ଡପୁର ଡିପିଏଫ୍‌ରେ ପୋତି ଦିଆଯାଇଥିବା ଟାଙ୍ଗୀ ରେଞ୍ଜର୍‌ ରବୀନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି। ଟ୍ରେନ ଧକ୍କାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ରେଳଷ୍ଟେସନ୍‌ ବାଟ ଦେଇ ନିୟମିତ ହାତୀ ଚଳପ୍ରଚଳ କରୁଥିବାରୁ ଟ୍ରେନ୍‌ର ଗତି ଧୀର କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଟ୍ରେନ୍‌ ଚାଳକ ଏସ୍‌ଓପିକୁ ଖାତିର ନକରି ଦ୍ରୁତଗତିରେ ଟ୍ରେନ୍‌ ଚଳାଉଥିବାରୁ ଏଭଳି ଅଭାବନୀୟ ଘଟଣା ଘଟୁଛି। ସୂଚନା ଅନୁସାରେ, ଟାଙ୍ଗୀ ରେଞ୍ଜ୍‌ ଅଧୀନସ୍ଥ ପଟିଆ ଜଙ୍ଗଲରେ ୧୦ଟି, ଭୁଷଣ୍ଡପୁର ଜଙ୍ଗଲରେ ୧୯ଟି ଓ ଅନ୍ୟାନ୍ୟ ଜଙ୍ଗଲରେ ୩ଟି ଏହିଭଳି ୩୨ ହାତୀ ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ଦିନହେଲେ ହାତୀପଲ ଜଙ୍ଗଲରେ ଲୁଚି ରହୁଥିବା ବେଳେ ରାତିରେ ବିଭିନ୍ନ ଫସଲ ନଷ୍ଟ କରି ସାଧାରଣ ଜନତାଙ୍କର ବ୍ୟାପକ କ୍ଷତି ଘଟାଉଛନ୍ତି। ଏଥିସହିତ ଗତ ବର୍ଷକ ମଧ୍ୟରେ ହାତୀ ଆକ୍ରମଣରେ ଆଠଜଣଙ୍କର ଜୀବନହାନୀ ଘଟିଛି।

Related Posts