ଭୁବନେଶ୍ୱର(ସତ୍ୟପାଠବ୍ୟୁରୋ): ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖାଯାଇଥିବା ଏହା ଉପରେ ନଜର ରଖାଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବାରୁ ଗ୍ରାଉଣ୍ଡରେ ଅଧିକାରୀମାନେ ମୁତୟନ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଛି। ଏନେଇ ଏସଆରସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି।
ଜଳକା ଓ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ରହିଥିବା ବେଳେ ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ମଧ୍ୟ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ବାଲେଶ୍ୱର ଜିଲ୍ଲା ପ୍ରତି ବିପଦ ବଢ଼ିଛି। ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତରେ ବନ୍ୟାର ପ୍ରଭାବ ରହିଛି। ଭୋଗରାଇ ଓ ବସ୍ତା ବ୍ଲକକୁ ମଧ୍ୟ ସତର୍କ କରାଯାଇଛି। ଝାଡ଼ଖଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ସୁବର୍ଣ୍ଣରେଖା ସମେତ କିଛି ନଦୀର ଜଳସ୍ତର ଉପରେ ଏହାର ପ୍ରଭାବ ପଡ଼ିପାରେ। ଯାଜପୁରରେ ମଧ୍ୟ ଜଳସ୍ତର ବଢ଼ିଥିବା ବେଳେ ଆନନ୍ଦପୁରରେ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ମୟୂରଭଞ୍ଜ ଓ କେନ୍ଦୁଝରର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି। ବନ୍ୟା ମୁକାବିଲା ପାଇଁ ଓଡ୍ରାଫ ଓ ଏନ୍‌ଡିଆରଏଫ ଟିମ୍‌ଗୁଡ଼ିକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ବାଲେଶ୍ୱରରେ ୮ଟି ଟିମ୍, ଯାଜପୁରରେ ୨ଟି ଓଡ୍ରାଫ ଓ ଗୋଟିଏ ଏନ୍‌ଡିଆରଏଫ ଟିମ୍, ଭଦ୍ରକରେ ୨ଟି ଏବଂ କେନ୍ଦୁଝରରେ ଗୋଟିଏ ଟିମ୍ ମୁତୟନ ଥିବା ସୂଚନା ମିଳିଛି। ଅତିରିକ୍ତ ୪ଟି ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ପ୍ରଭାବିତ ପଞ୍ଚାୟତ ଗୁଡ଼ିକରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିଲେ ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କୁହାଯାଇଛି।