ଭୁବନେଶ୍ବର: ଲଟେରୀ ମାଧ୍ୟମରେ ୧୧୪ ପରିବାରଙ୍କୁ ମିଳିଲା ପକ୍କା ଘର। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ପକ୍ଷରୁ ଆଜି ୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ନୀଳମାଧବ ହାଉସିଂ ପ୍ରକଳ୍ପରେ ହିତାଧିକାରୀଙ୍କୁ ଏହି ଗୃହ ପ୍ରଦାନ କରାଯାଇଛି। ନୀଳମାଧବ ହାଉସିଂ ପ୍ରକଳ୍ପରେ ୧୦ରୁ ଅଧିକ ବସ୍ତିର ୧୧୪ ଟି ପରିବାରକୁ ବିଏମସି ମେୟର  ସୁଲୋଚନା ଦାସ ଏହି ଗୃହ ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ବିଏମସି କମିଶନର ଚଞ୍ଚଳ ରାଣା, ହାଉସିଂ ଉପାୟୁକ୍ତ  ଅଜୟ କୁମାର ମହାନ୍ତି, ବିଡିଏର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ହିତାଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ସଂପୃକ୍ତ ବ୍ଲକ ବା ଆପାର୍ଟମେଣ୍ଟର ସମସ୍ତ ଦାୟିତ୍ୱ ବୁଝିବ ଏହି କମିଟି । ଲୋକମାନଙ୍କର ଆର୍ଥିକ ଉନ୍ନତି ପାଇଁ ମାର୍କେଟ କମ୍ପ୍ଲେକ୍ସ ଆଦି କରାଯିବାକୁ ଯୋଜନା ରହିଛି ବୋଲି କହିଛନ୍ତି ମେୟର।  ନୂତନ ଗୃହ ପାଇଥିବା ଏବଂ ନିକଟ ଭବିଷ୍ୟତରେ ସ୍ଥାନାନ୍ତର ହେବାକୁ ଥିବା ଏହି ୧୧୪ଗୋଟି ପରିବାରଙ୍କୁ ସ୍ଥାନାନ୍ତର ସମୟରେ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି କମିଶନର । ଘର ସ୍ଥାନାନ୍ତର ବେଳେ କିମ୍ବା ସେଠାରେ ପହଞ୍ଚିବା ପରେ କୌଣସି ହିତାଧିକାରୀ ଯେପରି ଅସୁବିଧାରେ ନ ପଡନ୍ତି, ସେଥିପାଇଁ ବିଏମ୍ ସି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ, ବିଦ୍ୟୁତ୍ ଆଲୋକ ଆଦି ଯୋଗାଇ ଦିଆଯିବ । ଆଗାମୀ ଦିନରେ ମଧ୍ୟ ବିଏମ୍ ସି ପକ୍ଷରୁ ଏହିପରି ସହାୟତା ଜାରି ରହିବ । ଗୃହ ଆବଣ୍ଟନରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ସମସ୍ତ ହିତାଧିକାରୀଙ୍କ ଉପସ୍ଥିତିରେ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଛି ।