ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ) :  ଲାଞ୍ଚ ନେବାବେଳେ ଧରା ପଡ଼ିଲେ ଜିଲ୍ଲା କୃଷି ଅଧିକାରୀ। ୧୫ ହଜାର ଟଙ୍କା  ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବ୍ରହ୍ମପୁରର ମୁଖ୍ୟ ଜିଲ୍ଲା  କୃଷି ଅଧିକାରୀ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଶ୍ରିତ କୃଷି ପ୍ରଣାଳୀ ଅଧୀନରେ ଥିବା ଫାଇଲ୍ ପ୍ରୋସେସ୍ କରିବା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର।

ଜଣେ ହିତାଧିକାରୀ କୃଷି ଏବଂ ଭିତ୍ତିଭୂମିରେ ବିନିଯୋଗ କରିଥିବା ଅର୍ଥର ୫୦ ପ୍ରତିଶତ ସବ୍‌ସିଡ୍ ପାଇବାର ଥିଲା। ହିତାଧିକାରୀ ଜଣକ ତାଙ୍କ ଫାଇଲ୍ କାମ କରିବା ପାଇଁ ଗତ ଦୁଇ ମାସ ହେବ ବ୍ୟୋମକେଶଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ ସେ  ଫାଇଲ୍ ଆଗକୁ ବଢ଼ାଉ ନଥିଲେ। କାମ ପାଇଁ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ସବ୍‌ସିଡ୍ ଟଙ୍କା ମିଳିବା ପରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ କମିଶନ ଦେବାକୁ ମଧ୍ୟ ଦାବି କରିଥିଲେ। ଏ ନେଇ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ  ହିତାଧିକାରୀଙ୍କ ଠାରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲାଞ୍ଚ  ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ୧୫ ହଜାର ଟଙ୍କା ଜବତ କରିଥିଲେ।  ଆୟବହିର୍ଭୂତ ସମ୍ପତ୍ତି ଠାବ ନେଇ ମିଶ୍ରଙ୍କ ୩ଟି ସ୍ଥାନରେ ଚଢଉ ଜାରି ରହିଛି।