ବରଗଡ଼, (ସତ୍ୟପାଠବ୍ୟୁରୋ): ଲାଞ୍ଚ ମାମଲାରେ ପୂର୍ବତନ ପଞ୍ଚାୟତ ଅଫିସର ଛବିଳ ବରିହାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବରଗଡ଼ ଭିଜିଲାନ୍ସ କୋର୍ଟ। ପୁରେନା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଛବିଳ ବରିହାଙ୍କୁ ୪ ବର୍ଷର ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ହୋଇଛି। ରାୟ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଭିଜିଲାନ୍ସ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଜଣେ ହିତାଧିକାରୀଙ୍କ ଘରର ଶେଷ କିସ୍ତି ଟଙ୍କା ମଞ୍ଜୁର କରାଇବା ପାଇଁ ଛବିଳ ବରିହା ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ପିସି ଆକ୍ଟ, ୧୯୮୮ ଧାରା ଧାରା ୧୩(୨) ସହ ୧୩(୧)(ଡି)/୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି ପରେ ବରଗଡ଼ର ମାନ୍ୟବର ସ୍ପେଶାଲ ଜଜ୍, ଭିଜିଲାନ୍ସ ଛବିଳ ବରିହାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡ ଭୋଗିବା ପାଇଁ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ଛବିଳ ବରିହା ଅବସର ନେଇଥିବାରୁ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ମଧ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।ଏହି ମାମଲାର ତଦନ୍ତ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ପୂର୍ବତନ ଇନ୍ସପେକ୍ଟର ପୁନିତା ପ୍ରଭା ବାଗେ କରିଥିଲେ। ଅଭିଯୋଗ ପକ୍ଷରୁ ଗୌରମୋହନ ଦାଶ ଓ ବରଗଡ଼ ଭିଜିଲାନ୍ସର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ରବି ନାରାୟଣ ଭୋଇ ମାମଲା ପରିଚାଳନା କରିଥିଲେ।
