ରାୟଗଡ଼ା, (ସତ୍ୟପାଠବ୍ୟୁରୋ): ଦାଉ ସାଧୁଛି ଲଘୁଚାପ ବର୍ଷା। ଗୋଟିଏ ପରେ ଗୋଟିଏ କ୍ରମାଗତ ଲଘୁଚାପ ଆସୁଥିବାବେଳେ ଲଗାଣ ବର୍ଷାରେ ବ୍ରେକ ଲାଗି ପାରୁନି। ରାଜ୍ୟରେ ବର୍ଷାର ବିରାମ ନଥିବାବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି। କେଉଁଠି ନଦୀ ନାଳରେ ଜଳ ସ୍ତର ବୃଦ୍ଧି ପାଇଥିବାବେଳେ ଆଉ କେଉଁଛି ବର୍ଷାରେ ଭିଜି ମାଟି କାନ୍ଥ ଭୁଶୁଡ଼ି ପଡ଼ିଲାଣି। ଲୋକେ ଘର ଦ୍ବାର ହରାଇ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି। ଗ୍ରାମ ନିକଟସ୍ଥ ନାଳରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ଗ୍ରାମବାସୀ ଜୀବନକୁ ବାଜି ଲଗାଇ ନାଳ ପାର ହେଉଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ହେବାରୁ ନାଳରେ ହଠାତ୍ ପାଣି ବଢ଼ିଯାଇଥିଲା। ଗ୍ରାମବାସୀ ବିଲରେ ରୁଆ ଓ ଡଙ୍ଗର କାମ ସାରି ଘରକୁ ଫେରିବା ବେଳେ ଭରା ନାଳ ପାର ହେବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ମହିଳା, ଛୋଟ ଶିଶୁ, ଯୁବକ ଓ ବୃଦ୍ଧବୃଦ୍ଧାମାନେ ମଧ୍ୟ ବିପଦସଂକୁଳ ଭାବେ ନାଳ ପାର ହୋଇଥିଲେ I ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷାଦିନେ ଏଭଳି ଭାବେ ଭରା ନାଳ ପାର ହେବା ନିତିଦିନିଆ ଘଟଣା ପାଲଟିଛି। ନାଳରେ ପାଣି ଅଧିକ ଥିବା ସମୟରେ କେତେବେଳେ କିଏ ପାଣିରେ ଭାସିଯିବେ, ତାହାର କୌଣସି ଠିକଣା ନାହିଁ। ତେଣୁ ବଡ଼ ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ସତର୍କ ହୋଇ ନାଳ ଉପରେ ସ୍ଥାୟୀ ସେତୁ ନିର୍ମାଣ କରିବା ଜରୁରୀ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏହି ନାଳ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ଗ୍ରାମର ଯୁବକମାନେ ଏହି ସମସ୍ୟା ନେଇ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ। ତଥାପି ଏପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିନଥିବା ଗ୍ରାମର ଯୁବକ ଅନନ୍ତ ଶବର କହିଛନ୍ତି। ପ୍ରତିବର୍ଷ ବର୍ଷାଦିନେ ଏଭଳି ବିପଦର ସମ୍ମୁଖୀନ ହେଉଥିବା ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଦୁର୍ଦ୍ଦଶାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ନାଳ ଉପରେ ସେତୁ ନିର୍ମାଣ କରିବାକୁ ଗ୍ରାମବାସୀ ପୁଣିଥରେ ଦାବି କରିଛନ୍ତି।
