ଏକ ମାମଲାର ଗୁରୁତ୍ୱପୂର୍ଣ ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ | ଯଦି ଦୀର୍ଘ ସମୟ ଶାରୀରିକ ସଂପର୍କ ରଖିବା ପରେ କେହି ବିବାହ କରିବାକୁ ମନା କରେ ତେବେ ତାହା ପ୍ରତାରଣା ନୁହେଁ | ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ | ଏହି ମାମଲାରେ ତଳ କୋର୍ଟ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ବମ୍ବେ ହାଇକୋର୍ଟ ଆଜି ସଂପୃକ୍ତ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

କହିରଖୁ କି ଏହି ମାମଲାରେ ପ୍ରେମିକା ଜଣଙ୍କ ଅଭିଯୋଗ କରିଥିଲେ ତାଙ୍କ ପ୍ରେମିକ ତାଙ୍କ ସହ ଦୀର୍ଘଦିନ ଶାରୀରିକ ସଂପର୍କ ରଖିବା ପରେ ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି । ଏନେଇ ପାଲଘର ଠାରେ ରହୁଥିବା ଯୁବକଙ୍କ ଉପରେ ପୋଲିସ ଧାରା ୩୭୬ ଓ ୪୧୭ କ୍ରମରେ ବଳତ୍କାର ଓ ପ୍ରତାରଣା ଭଳି ମାମଲା ଦାଖଲ କରିଥିଲେ । ଏହି ମାମଲାରେ ଅତିରିକ୍ତ ସେସନ ଜଜ୍ ୧୯୯୯ ଫେବୃଆରୀ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କୁ ବଳାତ୍କାର ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ କରିଥିବା ବେଳେ ଯୁବକଙ୍କୁ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ତଳ କୋର୍ଟ ପାଲଘରରେ ରହୁଥିବା କାଶୀନାଥ ଘରାତଙ୍କୁ ଏହି ବିବାହର ପ୍ରତିଶ୍ରୁତି ଦେଇ ୩ ବର୍ଷ ପର୍ଯ୍ୟନ୍ତ ପ୍ରେମିକା ସହ ଶାରୀରିକ ସଂପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । କାଶୀନାଥ ତଳ କୋର୍ଟଙ୍କ ଏହି ରାୟ ଉପରେ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାର ଶୁଣାଣି କରି ଜଷ୍ଟିଷ ଅନୁଜ ପ୍ରଭୂଦେଶାଇର ସିଙ୍ଗଲ ବେଞ୍ଚ କାଶୀନାଥଙ୍କୁ ପ୍ରତାରଣା ଅଭିଯୋଗରୁ ମୁକ୍ତ କରିଛନ୍ତି ।