ସୁନ୍ଦରଗଡ଼, (ସତ୍ୟପାଠବ୍ୟୁରୋ): ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି କ୍ଲବ ଘର। ଛାତରୁ ଗଳୁଛି ପାଣି। କାନ୍ଥଗୁଡ଼ିକର ଅବସ୍ଥା ନାହିଁ । କେତେବେଳେ ଭୁଶୁଡ଼ି ପଡ଼ିବ କିଛି କହି ହେବ ନାହିଁ। କ୍ଲବ ଘର ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି। ଶେଷର ଚାନ୍ଦା ଆଦାୟ କରି ନିଜ ପଇସାରେ କ୍ଲବ ଘର ମରାମତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଗାଁ ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜ଼ିଲ୍ଲା ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ସାନ ପତ୍ରାପାଲି ପଂଚାୟତର ପାତକିଯୋର ଗାଁରେ। ଏଠାରେ ଥିବା ଏକମାତ୍ର କ୍ଲବ୍ ଘର ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। ଦୀର୍ଘଦିନ ଧରି ଛାତରୁ ବର୍ଷା ପାଣି ଝରୁଥିବା ବେଳେ, ନୂଆ କ୍ଲବ୍ ଘର ନିର୍ମାଣ ଓ ପୁରୁଣା ଘରର ମରାମତି ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଓ ସରପଞ୍ଚ, ବିଧାୟକଙ୍କୁ ଅଭିଯୋଗ ଓ ଦରଖାସ୍ତ ଦିଆଯାଇଥିଲେ ମଧ୍ୟ କେହି ଶୁଣିଲେଣି। ଗାଁ ଲୋକଙ୍କ କହିବା ଅନୁସାରେ, ଏହି କ୍ଲବ୍ ଘରଟି ପୂର୍ବତନ ବିଧାୟକ ଗଜାଧର ମାଝିଙ୍କ ସମୟରେ ନିର୍ମାଣ ହୋଇଥିଲା। ଏହା କେବଳ ଏକ କ୍ଲବ୍ ଘର ନୁହେଁ- ଗାଁର ସାମାଜିକ, ଧାର୍ମିକ ଓ ସାମୂହିକ କାର୍ଯ୍ୟକ୍ରମର ଏକ ପ୍ରମୁଖ କେନ୍ଦ୍ର। ପ୍ରତିଦିନ ଏଠାରେ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଙ୍କୀର୍ତ୍ତନ ହୁଏ। ରଥଯାତ୍ରା ସହ ବିଭିନ୍ନ ପର୍ବପର୍ବାଣୀ ପାଇଁ ଏହି କ୍ଲବ ଘରକୁ ବ୍ୟବହାର କରାଯାଏ। ଏପରିକି ବିଭିନ୍ନ ସରକାରୀ ଓ ସାମାଜିକ ବୈଠକ ମଧ୍ୟ ଏହି ଘରେ ହୋଇଥାଏ। କିନ୍ତୁ ବର୍ଷା ହେଲେ ଏହି ଘରର ଅବସ୍ଥା ଆହୁରି ଦୟନୀୟ ହୋଇଯାଏ। ଛାତରୁ ପାଣି ଝରି କ୍ଲବ୍ ଘର ଭିତରେ ପାଣି ଜମିଯାଉଛି। ପାଣିରେ ଭିଜି ନଷ୍ଟ ହୋଇଯାଉଛି କୀର୍ତ୍ତନ ସାମଗ୍ରୀ, ଭଗବାନଙ୍କ ଫଟୋ ଏବଂ ଅନ୍ୟାନ୍ୟ ଜିନିଷ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯେତେବେଳେ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ପକ୍ଷରୁ କିଛି ହୋଇପାରିଲା ନାହିଁ, ଶେଷରେ ନିଜ ଖର୍ଚ୍ଚରେ କ୍ଲବ ଘର ର ମରାମତି କାମକୁ ଆଗେଇ ନେଇଛନ୍ତି ଗାଁର ଲୋକେ ଓ ଯୁବ ସମାଜ। ଏହି ଯୁବକମାନଙ୍କ ପଦକ୍ଷେପ ଅନ୍ୟ ଗାଁ ପାଇଁ ମଧ୍ୟ ଏକ ଉଦାହରଣ। ସରକାରୀ ସହାୟତାକୁ ଅପେକ୍ଷା କରି ନିଜ ଗାଁର ସମ୍ପତ୍ତିକୁ ନଷ୍ଟ ହେବାକୁ ଦେଇନାହାନ୍ତି। ନିଜ ପକେଟରୁ ଟଙ୍କା ଦେଇ, ନିଜ ହାତରେ ଗାଁ କ୍ଲବ ଘରକୁ ବଞ୍ଚାଇବାକୁ ଆଗେଇ ଆସିଛନ୍ତି। ଯେଉଁଠି ବାରମ୍ବାର ଅଭିଯୋଗ ପରେ ବି ନିଜ ଟଙ୍କାରେ କ୍ଲବ ଘରର ମରାମତି କରିବାକୁ ପଡ଼େ, ତେବେ ପ୍ରଶାସନିକ ବ୍ୟବସ୍ଥାର ଭୂମିକାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହା ହେଉଛି ନିଜ ଗାଁ ପାଇଁ ଯୁବ ସମାଜର ଦାୟିତ୍ୱବୋଧର କାହାଣୀ ଏବଂ ପ୍ରଶାସନିକ ଅବହେଳା ବିରୋଧରେ ଏକ ନିରବ ପ୍ରତିବାଦ। ଯୁବ ସମାଜ ପକ୍ଷରୁ କୁହାଯାଇଛି, ଏଭଳି ଅବହେଳାକୁ ଆଉ ଚୁପ୍ ହୋଇ ସହ୍ୟ କରାଯିବ ନାହିଁ। ଆଗାମୀ ଦିନରେ ଗାଁର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନନେଲେ, ଲୋକଙ୍କ ସ୍ୱର ଆହୁରି ଜୋରଦାର ହେବ ବୋଲି ଯୁବ ସମାଜ ଚେତାବନୀ ଦେଇଛି।