ସବୁ ବ୍ଲକ୍‌, ସହରାଞ୍ଚଳରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ, ଭର୍ଚୁଆଲରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୨୬ତାରିଖରେ ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜୁ ଜନତା ଦଳ । ସବୁ ବ୍ଲକ ଓ ସହରାଞ୍ଚଳରେ ଆଡମ୍ବର ସହ ପ୍ରତିଷ୍ଠା ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ଦଳ । ଏହି କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ନେତା ଓ କର୍ମୀ ଯୋଗଦେବେ ସେନେଇ ଦଳ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ଦଳର ନୂଆ ମୁଖ୍ୟାଳୟ ନିର୍ମାଣ ପାଇଁ ପୁରୁଣା କାର୍ଯ୍ୟାଳୟ ଭଙ୍ଗାଯାଉଛି। ତେଣୁ ମୁଖ୍ୟାଳୟ ପରିସରରେ ଏଥର କିଛି କାର୍ଯ୍ୟକ୍ରମ ହେବାର ନାହିଁ। ୨୬ତାରିଖରେ ସମସ୍ତ ବ୍ଲକ ମୁଖ୍ୟାଳୟରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ବ୍ଲକ, ଯୁବ, ଛାତ୍ର, ମହିଳା ଏବଂ ବରିଷ୍ଠ ବିଜେଡି କମିଟିର ସମସ୍ତ ସଦସ୍ୟ, ବିଜେଡି ପଞ୍ଚାୟତ ସଭାପତିଙ୍କ ସହିତ ନିକଟରେ ପ୍ରତି ବ୍ଲକରେ ଗଠନ ହୋଇଥିବା ଜୋନ୍ କମିଟିର ବ୍ଲକ୍ କୋର୍ଡିନେଟର, ଜୋନ୍ କୋର୍ଡିନେଟର, ଜୋନ୍ କମିଟି ସଦସ୍ୟ ଏବଂ ପଞ୍ଚାୟତ କମିଟି ସଦସ୍ୟଗଣ ଉପସ୍ଥିତ ରହିବେ। ଏହାସହ ୨୫ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକ୍ରିୟ ସଭ୍ୟ ଯୋଗଦେବେ। ସେହିଭଳି ପ୍ରତ୍ୟେକ ସହରାଞ୍ଚଳ ମୁଖ୍ୟାଳୟରେ ଦଳର ବିଭିନ୍ନ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ନଗର ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ବିଜେଡି କମିଟିର ସମସ୍ତ ସଦସ୍ୟ, ୱାର୍ଡ କମିଟିର ସମସ୍ତ ସଦସ୍ୟ ଏବଂ ୨୫ଜଣ ବ୍ୟକ୍ତିଙ୍କୁ ଦଳର ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସକ୍ରିୟ ସଭ୍ୟମାନେ ଯୋଗଦେବେ। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ଟା ୩୦ରେ ଭର୍ଚୁଆଲ ମୋଡରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ।

Related Posts