ସରପଞ୍ଚ ହେଲେ ମୁଁ ବାହା ହେବିନି: କେନ୍ଦ୍ରାପଡ଼ା ଡ଼େରାବିଶ ବ୍ଲକର ଇନ୍ଦାଳ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରୋଚକ ହଉଚି ନିର୍ବାଚନୀ କାହାଣୀ। ବାହା ନହେବା ପାଇଁ ଗାଁ ଠାକୁରଙ୍କ ପାଖରେ ଶପଥ ନେଇଛନ୍ତି ସରପଞ୍ଚ ପ୍ରାର୍ଥୀ । କେନ୍ଦ୍ରାପଡ଼ା ଡ଼େରାବିଶ ବ୍ଲକର ଇନ୍ଦାଳ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଲାବଣ୍ୟ ମଳିକ ଏଭଳି ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଇନ୍ଦାଳ ପଞ୍ଚାୟତରେ ୩ଜଣ ପ୍ରାର୍ଥୀ ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ୨୨ ବର୍ଷିୟା ଲାବଣ୍ୟ ମଳିକ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ଘର ଘର ବୁଲି ପ୍ରଚାର ବେଳେ ଲାବଣ୍ୟଙ୍କୁ ଅନେକ ପ୍ରଶ୍ନ ସାମ୍ନା କରିବାକୁ ପଡ଼ିଛି ।

ଏପରିକି, ନିର୍ବାଚନରେ ଜିତିବା ପରେ ବାହା ହୋଇ ଶାଶୁ ଘରକୁ ଚାଲିଗଲେ ପଞ୍ଚାୟତର ବିକାଶ କାମ କେମିତି ହେବ ଏବଂ ଆବଶ୍ୟକତା ପଡ଼ିଲେ ସରପଞ୍ଚଙ୍କୁ ଦେଖାକରିବା ପାଇଁ କ’ଣ ଅନ୍ୟ ଗାଁକୁ ଯିବାକୁ ପଡ଼ିବ ବୋଲି ଲୋକେ ତାଙ୍କୁ ପ୍ରଶ୍ନ କରିଥିଲେ । ଏମିତି ଅନେକ ପ୍ରଶ୍ନ ବାଣରେ ଛନ୍ଦି ହୋଇ ଜଣ ଜଣ କରି ବୁଝାଇବା ସହଜ ନହେବାରୁ, ଶେଷରେ ଗାଁର ମହିଳା, ବୟସ୍କ ଓ ଅନ୍ୟ ଲୋକଙ୍କୁ ଡ଼ାକି ଏକତ୍ରିତ କରି ଗାଁ ଠାକୁରଙ୍କ ନିକଟରେ ଶପଥ ନେଇଛନ୍ତି । ଯଦି ସରପଞ୍ଚ ଭାବେ ଜିତନ୍ତି ସେ ୫ ବର୍ଷ ପର୍ଯ୍ୟନ୍ତ ବାହାହେବେନି । ଗାଁ ଲୋକଙ୍କ ସହ ରହି ଦୁଃଖ ସୁଖ ବୁଝିବେ ଏବଂ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ସରପଞ୍ଚ ପ୍ରାର୍ଥୀ।

Related Posts